ରେଡ଼ିଓ ଭାବଗ୍ରାହୀରେ ଜାତୀୟ ପ୍ରସାରଣ ଦିବସ ପାଳିତ
National Broadcasting Day celebrated at Radio Bhavgrahi
ରେଡ଼ିଓ ଭାବଗ୍ରାହୀରେ ଜାତୀୟ ପ୍ରସାରଣ ଦିବସ ପାଳିତ


କେନ୍ଦ୍ରାପଡ଼ା, ୨୩ ଜୁଲାଇ(ହି.ସ.) – ବହୁଜନ ହୀତାୟ ବହୁଜନ ସୁଖାୟ ନୀତିକୁ ସଠିକ ଭାବରେ ପାଳନ କରି ଆଜିବି ଆକାଶବାଣୀ କେବଳ ଭାରତ ବର୍ଷ କାହିଁକି ସମଗ୍ର ବିଶ୍ୱରେ ଜନପ୍ରିୟତାର ଶୀର୍ଷରେ ରହିଛି। ୧୯୨୭ ମସିହା ଜୁଲାଇ ୨୩ ତାରିଖରେ ଇଣ୍ଡିଆନବ୍ରଡ୍ କାଷ୍ଟିଙ୍ଗ୍ କମ୍ପାନୀ ଆମ ଭାରତରେ ପ୍ରଥମ ପ୍ରସାରଣ ଆରମ୍ଭ କରିଥିଲା। ସେହି ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଆଜି ଜାତୀୟ ପ୍ରସାରଣ ଦିବସ ଆମ ଦେଶରେ ବିଭିନ୍ନ ପ୍ରସାରଣ ସଂସ୍ଥା ପକ୍ଷରୁ ପାଳନ କରାଯାଉଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ଭାବଗ୍ରାହୀ ଆନୁକୂଲ୍ୟରେ ଭାବଗ୍ରାହୀ କଳା ନିକେତନର ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ଜାତୀୟ ପ୍ରସାରଣ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୋରଡ ସ୍ଥିତବାୟା ଆଶ୍ରମର ମହନ୍ତ ହୃଷୀକେଶ ଦାଶ ମହାରାଜ ମୁଖ୍ୟ ଅତିଥି, ପଣ୍ଡିତ ପଦ୍ମନାଭ ଦାଶ ମୁଖ୍ୟ ବକ୍ତା, ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା, ପ୍ରଫେସର ପ୍ରଶାନ୍ତ କୁମାର ସାମଲ, ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ଗ୍ରାମ୍ୟ ଉନ୍ନୟନ ସାଂସ୍କୃତିକ ଯୁବ ସଙ୍ଗଠନର ସମ୍ପାଦକ ଚିତରଞ୍ଜନ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଜାତୀୟ ପ୍ରସାରଣ ଦିବସର ଆଭିମୁଖ୍ୟ ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ। ଆରମ୍ଭରେ ଲୋକକବି ଭାବଗ୍ରାହୀ ପରିଡା, କବି ପତ୍ନୀ ସରୋଜିନୀ ପରିଡା, ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତୀରେ ଅତିଥିମାନେ ମାଲ୍ୟାର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ନିରୁପମା ଜେନା ସ୍ୱାଗତ ସଙ୍ଗୀତ ସମେତ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଭଜନ ଗାଇଥିଲେ। ଗୀତିକାର ବିମଳ ପରିଡା ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ଦେବା ଛଳରେ ରେଡ଼ିଓ ଭାବଗ୍ରାହୀର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କବି ଗଗନ ବିହାରୀ ଜେନା, କଣ୍ଠଶିଳ୍ପୀ ଅଜୟ ମହାନ୍ତି, କବି ବିଷ୍ଣୁୁପ୍ରିୟା ସାମଲ, ବିକ୍ରମ କେଶରୀ ସାମଲ, କବି ଅଶୋକ କୁମାର ସାହୁ, ଅଚ୍ୟୁତାନନ୍ଦ ପରିଡା, ଶିକ୍ଷକ ବିଜୟ ଚନ୍ଦ୍ର ଦାସ, ସ୍ୱର୍ଣକାନ୍ତ ପରିଡା, ନୀରୋଦ ପରିଡ଼ା, ସାଇ ନିତିନ୍ ମହାନ୍ତି, ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡ଼ା, ପ୍ରସାରଣ ସହାୟକ ଗୌରବ କୁମାର ଦାସ, ଭାଗବତ ବରାଳ, ଉତମ ସାହୁ, ତୋଫାନ ମଲିକ, ଅମର ବିଶ୍ୱାଳ, ଗୌରାଙ୍ଗ ଭୋଇ, ସର୍ବେଶ୍ୱର ପରିଡ଼ା, ନିର୍ମଳ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କବିତା ପାଠୋତ୍ସବ ସହିତ ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା। ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande