କେନ୍ଦୁଝର, ୨୩ ଜୁଲାଇ (ହି.ସ.) - ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ,କେନ୍ଦୁଝର ଏବଂ ସେଂଟର ଫର ଏନଭାଇରନମେଣ୍ଟାଲ ଷ୍ଟଡ଼ିଜ,ଭୁବନେଶ୍ୱରର ମିଳିତ ଉଦ୍ୟମରେ ଜିଲ୍ଲାର ଆନନ୍ଦପୁର,ଘଷିପୁରା,ହାଟଡିହି,ଘଟଗାଁ,ହରିଚନ୍ଦନପୁର,ବାଂଶପାଳ ବ୍ଲକର ପ୍ରାୟ ୨୫୦ ଜଣ ଶକ୍ତି କ୍ଲବର ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ଅଭିବୃଦ୍ଧି କର୍ମଶାଳା ବୁଧବାରରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସେଂଟର ଅଫ୍ ଏନଭାଇରନମେଂଟାଲ ଷ୍ଟଡ଼ିଜ,ଭୁବନେଶ୍ୱରର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି ସଂରକ୍ଷଣର ଆବଶ୍ୟକତା,ଉପକାରିତା ଏବଂ ଭବିଷ୍ୟତରେ ଶକ୍ତି ସଙ୍କଟକୁ କିପରି ଦୂର କରି ହେବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଶକ୍ତି ସଂଚୟ ପାଇଁ ସମସ୍ତେ ସଚେତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ପାଇଁ ଶକ୍ତି କ୍ଲବର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।ଜିଲ୍ଲା ବିଜ୍ଞାନ ଶିକ୍ଷା ପରିଦର୍ଶକ ପରମେଶ୍ୱର ମହାନ୍ତ ୨୦୨୧ ରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଶକ୍ତି କ୍ଲବର କାର୍ଯ୍ୟାବଳୀ ସମ୍ବନ୍ଧରେ ସୂଚନା ଦେଇଥିଲେ।ଡି.ଏନ୍. ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି ସମ୍ବଳର ଧାରଣୀୟ ବିକାଶ ଓ ସଂରକ୍ଷଣ ପାଇଁ ପଦକ୍ଷେପ ନେବା ପାଇଁ ଆହ୍ୱାନ କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରାଙ୍କ ସଂଯୋଜନାରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାର ପ୍ରଥମ ପର୍ଯ୍ୟାୟରେ ଶକ୍ତି କ୍ଲବ କାର୍ଯ୍ୟକ୍ରମର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ ପୁଙ୍ଖାନୁପୁଙ୍ଖ ଭାବେ ଶକ୍ତି କ୍ଲବର ଗଠନ ପ୍ରଣାଳୀ,ବାର୍ଷିକ କାର୍ଯ୍ୟାବଳୀ,ୟୁ.ସି. ରିପୋର୍ଟ ପ୍ରଦାନ ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ।କର୍ମଶାଳାର ଦ୍ୱିତୀୟ ପର?୍ୟ୍ୟାୟରେ ଏନ୍.ଏସ୍. ପୋଲିସ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିବେକାନନ୍ଦ ରାଉତ,ବାଉଁଶୁଳି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଆଦିତ୍ୟ ମହାପାତ୍ର,ଧବଳେଶ୍ୱର ହାଇସ୍କୁଲ,ଦେଓଝରର ବିଜ୍ଞାନ ଶିକ୍ଷକ ସୌମ୍ୟ ପ୍ରକାଶ ସାହୁ ରିସୋର୍ସ ପର୍ସନ ଭାବେ ଶକ୍ତି କ୍ଲବର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶେଷରେ ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଫକୀର ମୋହନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA