ଖୋର୍ଦ୍ଧା, ୨୯ ଜୁଲାଇ (ହି.ସ.)- ଦିନକୁ ଦିନ ଖୋର୍ଦ୍ଧା ସହରରେ ଧଳା ଜହର କାରବାର ବୃଦ୍ଧି ପାଇବାରେ ଲାଗିଛି। ଅଧିକ ରୋଜଗାର ଆଶାରେ ଯୁବପିଢ଼ି ଏବେ ଏହି କାରବାରରେ ସମ୍ପୃକ୍ତ ହେଉଛନ୍ତି। କୋଲ୍କାତାରୁ ବାଲେଶ୍ଵର, ଜଳେଶ୍ଵର ପ୍ରଭୃତି ବାଟ ଦେଇ ବ୍ରାଉନ୍ ସୁଗାର ଖୋର୍ଦ୍ଧାରେ ପହଞ୍ଚୁଛି। ଏଠାରୁ ଗ୍ରାମାଞ୍ଚଳ ଏବଂ ପଡ଼ୋଶୀ ଜିଲାକୁ ପଠାଯାଉଛି। ଏହାକୁ ରୋକିବା ପାଇଁ ଜିଲା ପୋଲିସ ପକ୍ଷରୁ ଆଣ୍ଟି ନାର୍କୋଟିକ୍ସ ଟାସ୍କଫୋର୍ସ (ଏଏନ୍ଟିଏଫ୍) ଗଠନ କରାଯାଇଛି। ତେବେ ଗତକାଲି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅଧୀନ ଟାଙ୍ଗିଆପଡ଼ା ଦୁଆରୀ ମନ୍ଦିର ନିକଟରେ ବ୍ରାଉନ୍ସୁଗାର କାରବାର ଚାଲିଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ପୋଲିସ ସେଠାରୁ ୩୨୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ ସହ ୨ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଦ୍ବୟ ହେଲେ ଭାଲିଆବାଡ଼ିର ବିଶ୍ବରଞ୍ଜନ ରାଉତରାୟ(୨୨) ଏବଂ ଗୁରୁଜଙ୍ଗ ଦ୍ବାରିକା ନଗରର ବଳଭଦ୍ର ବେହେରା। ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୩୨ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତଙ୍କ ଠାରୁ ୨ଟି ମୋବାଇଲ, ଗୋଟିଏ ଲେଖାଏଁ ବାଇକ୍ ଓ ସ୍କୁଟର ଜବତ କରାଯାଇଛି ବୋଲି ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ବିଶ୍ବରଞ୍ଜନ, ବଳଭଦ୍ର ଏବଂ ଅନ୍ୟ ଜଣେ ଦୁଆରୀ ମନ୍ଦିର ନିକଟରେ ବ୍ରାଉନ୍ସୁଗାର ବିକ୍ରି ପାଇଁ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ। କୌଣସି ସୂତ୍ରରୁ ଖବରପାଇ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସ୍ପି ଅମ୍ରିତ୍ ପାଲସିଂଙ୍କ ନେତୃତ୍ୱରେ ସଦର ଡିଏସ୍ପି ନିରଞ୍ଜନ ପ୍ରଧାନ, ଶିଳ୍ପାଞ୍ଚଳ ଥାନା ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଜୟସିଂ, ଏସ୍ଆଇ ସୁନିତା ବେହେରା ପ୍ରମୁଖଙ୍କୁ ନେଇ ଗଠିତ ଟିମ୍, ସ୍ପେଶାଲ ସ୍ଟ୍ରାଡ୍ ସଦସ୍ୟ ମିଳିତ ଭାବେ ଚଢ଼ଉ କରିଥିଲେ। ପୋଲିସକୁ ଦେଖି ଅଭିଯୁକ୍ତମାନେ ଦୌଡ଼ି ଖସିଯିବାକୁ ଉଦ୍ୟମ କଲାବେଳେ ପୋଲିସ ଚାରିପଟୁ ଘେରିଯାଇଥିଲା। ୨ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟଜଣେ ଚମ୍ପଟ ମାରିଥିଲେ। ଏ ନେଇ ଶିଳ୍ପାଞ୍ଚଳ ଥାନାରେ ଏନ୍ଡିପିଏସ୍ ଆକ୍ଟରେ ଏକ ମାମଲା (ନଂ.୧୭୭/୨୫) ରୁଜୁ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ