ମାଲକାନଗିରି, ୨୯ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସ୍ଥିତ ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କର ଜଣେ ମ୍ୟାନେଜରଙ୍କ ବିରୋଧରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ ଋଣ ପ୍ରଦାନ ଆଳରେ ସେମାନଙ୍କ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିବା ସହ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଜି ବ୍ୟାଙ୍କରେ ତାଲା ପକାଇବା ସହ ଧାରଣା ଦେଇଥିଲେ | ପରେ ବ୍ୟାଙ୍କ ମ୍ୟାନେଜର ତଦନ୍ତ କରାଯାଇ ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ଆଜି ତିନିଟି ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କୋରୁକୋଣ୍ଡା ସ୍ଥିତ ବ୍ୟାଙ୍କକୁ ଆସି ହୋହଲ୍ଲା କରିଥିଲେ। ଏହାପରେ ବ୍ୟାଙ୍କରେ ତାଲା ପକାଇଥିଲେ। ଅଭିଯୋଗ ଅନୁଯାୟୀ, ରାଧାରାଣୀ ଏସ୍ଏଚ୍ଜି ୨୦୨୩ ମସିହା ଜୁନ୍ ୨୩ ତାରିଖରେ ପିଏନ୍ବିରୁ ୩ ଲକ୍ଷ ଟଙ୍କା ଋଣ ଉଠାଇଥିଲେ। ସେହିପରି ୨୦୨୪ ମସିହା ଜୁଲାଇ ୧୬ ତାରିଖରେ ମା' କାଳୀ ଏସ୍ଏଚ୍ଜି ଏବଂ ଜୟଗୁରୁ ଏସ୍ଏଚ୍ଜି ୩ ଲକ୍ଷ ଟଙ୍କା ଲେଖାଏଁ ଋଣ ବ୍ୟାଙ୍କରୁ ଉଠାଇଥିଲେ। କିନ୍ତୁ ଉକ୍ତ ପରିମାଣର ଋଣ ଟଙ୍କା ଏସ୍ଏଚ୍ଜିର ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନଥିଲା। ବାରମ୍ବାର ସଦସ୍ୟାମାନେ ପଚାରିବାରୁ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିଲେ ଜଣେ ମ୍ୟାନେଜର | ଏସ୍ଏଚ୍ଜିକୁ ମିଳିଥିବା ୬ ଲକ୍ଷ ଟଙ୍କାରୁ ୩ ଲକ୍ଷ ପ୍ରଦାନ କରି ବାକି ୩ ଲକ୍ଷ ଟଙ୍କା ହଡ଼ପ କରାଯାଇଥିଲା । ତେଣୁ ମିଳିଥିବା ୩ ଲକ୍ଷ ଟଙ୍କା ଏସ୍ଏଚ୍ଜି ପରିଶୋଧ କରିଥିଲେ । ଏହାପରେ ୩ ଲକ୍ଷ ଟଙ୍କା ବାକି ରହିଥିବା ବ୍ୟାଙ୍କ ପକ୍ଷରୁ କୁହାଗଲା । ତେଣୁ ପାସ୍ବୁକ୍ ମାଗିବାରୁ ୬ ଲକ୍ଷ ଟଙ୍କାର ଋଣ ଉଠାଇ ୩ ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡ଼ିଥିଲା। ଏନେଇ ବର୍ଷେ ହେଲା ବ୍ୟାଙ୍କକୁ ସମାଧାନ ଲାଗି ମହିଳାମାନେ ଦୌଡ଼ୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଗଲା ନାହିଁ। ଅନ୍ୟପଟେ ସଂପୃକ୍ତ ମ୍ୟାନେଜର କେବଳ ଉପରୋକ୍ତ ଏସ୍ଏଚ୍ଜି ନୁହଁ ୨୦ରୁ ୨୫ ଏସ୍ଏଚ ଜି ଟଙ୍କା ଉଠାଇ ନେଇଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଆଜିର ହୋ ହଲ୍ଲା ପରେ ବ୍ୟାଙ୍କ ମ୍ୟାନେଜର ତଦନ୍ତ କରି ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାରୁ ମହିଳାମାନେ ଧାରଣାରୁ ଉଠିଥିଲେ |
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ