ଧର୍ମଶାଳା, ୩ ଜୁଲାଇ (ହି.ସ.)- ୭ ଦଫା ଦାବି ହାସଲ ପାଇଁ ରାଜ୍ୟ ମହାସଂଘର ନିଷ୍ପତି କ୍ରମେ ଯାଜପୁର ଜିଲା ଧର୍ମଶାଳା ଶାଖା ଡ୍ରାଇଭର ମହାସଂଘ ଆସନ୍ତା ୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଙ୍ଗ ଛାଡ ଆନ୍ଦୋଳନ କରିବେ । ଏନେଇ ଜାରକା ଠାରେ ଧର୍ମଶାଳା ଶାଖାର ସଭାପତି ଲୋକନାଥ ପୁରୀ ଓ ସମ୍ପାଦକ ଅମୁଲ୍ୟ କୁମାର ମଳିକ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି । ଓଡିଶା ଡ୍ରାଇଭର ମହାସଂଘ ତା'ର ଦାବିରେ ୨୦୨୩ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଭୁବନେଶ୍ୱରରେ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ତତକାଳୀନ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଡ୍ରାଇଭରଙ୍କ ସ୍ୱାଭାବିକ ମୃତ୍ୟୁରେ ୨ ଲକ୍ଷ ଏବଂ ଦୁର୍ଘଟଣାଜନିତ ମୃତ୍ୟୁରେ ୪ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଅନ୍ୟାନ୍ୟ ମୁଖ୍ୟ ଦାବିକୁ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ । ମାତ୍ର ଦାବି ପୂରଣ ନ ହେବାରୁ ଚଳିତ ବର୍ଷ ନୂତନ ସରକାରଙ୍କ ସମୟରେ ମାର୍ଚ୍ଚ ୨୯ ତାରିଖରେ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ମାତ୍ର ଅଦ୍ୟାବଧି କୌଣସି ଦାବି ପୂରଣ ନ ହେବାରୁ ରାଜ୍ୟ ମହାସଂଘର ନିଷ୍ପତି କ୍ରମେ ଆସନ୍ତା ୮ ତାରିଖ ଠାରୁ କୌଣସି ଡ୍ରାଇଭର ଗାଡି ଚଳେଇବେ ନାହିଁ ବୋଲି ନିଷ୍ପତି ନେବା ସହିତ ସମସ୍ତ ଡ୍ରାଇଭର ଧାରଣା ଦେବେ ବୋଲି ସଂଘର କର୍ମକର୍ତା ପ୍ରକାଶ କରିଛନ୍ତି । ଆବଶ୍ୟକ ପଡିଲେ, ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘ ନିଷ୍ପତି ନେଇଛି । ଏହି ଧାରଣା ସମୟରେ ରାଜ୍ୟରେ ଯଦି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୁଏ ତା ହେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ମହାସଂଘ ଚେତାବନୀ ଦେଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ