ଭୁବନେଶ୍ୱର, 30 ଜୁଲାଇ (ହି.ସ.)- ପୁଣି ବିଜେଡ଼ି
ନେତା ପ୍ରୀତି ରଞ୍ଜନ ଘଡାଇଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ସମବାୟ ମନ୍ତ୍ରୀ ପ୍ରଦୀପ
ବଳସାମନ୍ତ । ପ୍ରୀତି ରଞ୍ଜନଙ୍କୁ ଶାଳୀନତାର ପାଠ ପଢାଇଲେ ପ୍ରଦୀପ । ଜଣେ କଥା କହିବାର
ଶୈଳୀ ଠିକ୍ ରଖିବା ସହ ଭାଷା ଜ୍ଞାନ ରହିବା
ଦରକାର । ଯେଉଁଠି କଥା କହୁଛନ୍ତି ଶାଳୀନତା ରହିବା ଦରକାର । ଶାଳୀନତା ଭୁଲି ଗଲେ, ସୀମା ଟପି ଗଲେ
କେହି ଆମକୁ କ୍ଷମା ଦେବେ ନାହିଁ । ଲୋକଙ୍କୁ ଭୁଲ ବାଟରେ ପରିଚାଳିତ କରିବା, ନକାରାତ୍ମକ କଥା
ଲୋକଙ୍କୁ ଶିଖାଇବା ଦ୍ଵାରା ସମାଜ ସହ ତାଙ୍କ ନିଜର ମଧ୍ୟ କ୍ଷତି ହେବ । ସେଦିନ ପ୍ରୀତି ରଞ୍ଜନ
କେମିତି ଉତ୍ୟକ୍ତ ଭାଷଣ ଦେଉଥିଲେ ସବୁ ଭିଡ଼ିଓ ଲୋକଙ୍କ ସାମ୍ନାରେ ଅଛି । ସେ କହୁଥିଲେ, ନିଆଁ ଲଗାଅ, ଗାଡ଼ି ପୋଡ଼, ରାସ୍ତାରେ ଟାୟାର
ଜାଳି ରାସ୍ତାରୋକ କର । ସେ ଲୋକର ଦୁର୍ଘଟଣା ଜନିତ ମୃତ୍ୟ ହୋଇଥିଲା । ସେ ପ୍ଲାଣ୍ଟରେ କାମ କରୁ
ନଥିଲେ କି ଡ୍ୟୁଟି ଯାଇନଥିଲେ । ଯଦି ସେ ଲୋକ ପ୍ଲାଣ୍ଟର କର୍ମଚାରୀ, ତେବେ ଭଲରେ
କହିଥିଲେ କ୍ଷତିପୂରଣ ପାଇଥାନ୍ତେ । କିନ୍ତୁ ପ୍ରୀତି ରଞ୍ଜନ ଘଡାଇଙ୍କ ନେଗେଟିଭ କଥା ଯୋଗୁଁ
ସେଦିନ ସେ ଲୋକ ଆର୍ଥିକ ସାହାଯ୍ୟରୁ ବଞ୍ଚିତ ହେଲା । ଆମେ ସେବା ପାଇଁ ରାଜନୀତି କରୁଛନ୍ତି,
ନିଜକୁ ସୋସିଆଲ ମିଡ଼ିଆରେ ଭାଇରାଲ କରି ବାଃ ବାଃ ନେବା
ପାଇଁ ରାଜନୀତି କରୁଛନ୍ତି ବୋଲି ପ୍ରୀତି ରଞ୍ଜନଙ୍କୁ ପ୍ରଶ୍ନ କଲେ ପ୍ରଦୀପ । ମୁଁ ସୁକିନ୍ଦାକୁ
ଏକ କରି ପରିବାର ଭଳି ଚଳିବା ପାଇଁ ଯେତେ ଚେଷ୍ଟା କଲେ ବି ଘଡାଇ ପରିବାର କରାଇ ଦେଉନାହାନ୍ତି ।
ଯେହେତୁ ସେ ସୁକିନ୍ଦାର ଅଧିବାସୀ ନୁହନ୍ତି, ସେଥିପାଇଁ ଭାଗ ଭାଗ ରାଜନୀତି କରି ଭୋଟ ନେବେ ବୋଲି ସବୁବେଳେ ଉଦ୍ୟମ କରୁଛନ୍ତି । ମୁଁ ଭୋଟ
ରାଜନୀତି କରୁନାହିଁ, ଭାଇଚାରା ରାଜନୀତି
କରୁଛି ବୋଲି କହିଲେ ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା