ବାରିପଦା, ୩୦ ଜୁଲାଇ (ହି.ସ.) - କଟକ ଠାରେ ଅନୁଷ୍ଠିତ ୭୭ ତମ ରାଜ୍ୟ ସ୍ତରୀୟ ପୋଲିସ ଭଲିବଲ ଚାମ୍ପିୟାନସିପରେ ମୟୁରଭଞ୍ଜ ପୋଲିସ ଟିମ ୫ମ ରାଉଣ୍ଡରେ ୪ର୍ଥ ଆଇଆରବିଏନ ବୌଦ୍ଧ କୁ ୩-୦ ସେଟରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି. ପୁରସ୍କାର ସ୍ୱରୂପ ଦଳକୁ ବ୍ରୋଞ୍ଜ ପଦକ ସହ ୧୦ ହଜାର ନଗଦ ପୁରସ୍କାର ରାଶି ମିଳିଛି । ଚମ୍ପିୟାନସିପର ଶ୍ରେଷ୍ଠ ଖେଳାଳି ଭାବେ ଅଞ୍ଜନ ବେହେରାଙ୍କୁ ଟ୍ରଫି ଓ ୨ ହଜାର ପୁରସ୍କାର ରାଶି ମିଳିଛି । ଖବର ପାଇ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଂଟୁୁପଲ୍ଲୀ ସମସ୍ତ ଖେଳାଳୀ ସମେତ ଟିମର ମ୍ୟାନେଜର ଓ କୋଚଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ରିଜର୍ଭ ଇନ୍ସପେକ୍ଟର ଆଲୋକ କାନୁନଗୋ, ମୟୁରଭଞ୍ଜ ପୋଲିସ ସଂଘର ସଭାପତି ବିକାଶ କୁମାର ବାରିକ, ସମ୍ପାଦକ ସୁରଜ କୁମାର ରାଜ, କ୍ରୀଡା ସଂଗଠକ ଭାନୁପ୍ରତାପ ଭଞ୍ଜଦେଓ, ଏନଆଇଏସ କୋଚ ମନୋରଞ୍ଜନ ଜୀଉ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ଚାମ୍ପିୟାନସିପରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିବା ଅଞ୍ଜନ ବେହେରା, ମିଲୁ ମହାନ୍ତ ଓ ଜନ୍ମେଜୟ ଦାସ ଜାତୀୟ ସ୍ତରୀୟ ପୋଲିସ ଚମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ଓଡିଶା ପୋଲିସ ଦଳର ଚୟନ ଶିବିରକୁ ମନୋନୀତ ହୋଇଥିବାର ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ