ଅଗଷ୍ଟ ୧ ରୁ ୧୫ ଯାଏଁ ଆସ ଯିବା ଅଙ୍ଗନବାଡି ଅଭିଯାନ
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ)- ତୃଣମୂଳସ୍ତରରେ ସିଡିପିଓମାନଙ୍କ ଦକ୍ଷତା ହିଁ ଆମର ଶକ୍ତି । ବିକଶିତ ଓଡ଼ିଶା ୨୦୩୬ରେ ଓଡ଼ିଶାକୁ ଏକ ଅପପୁଷ୍ଟି ମୁକ୍ତ ରାଜ୍ୟରେ ପରିଣିତ କରିବା ହେଉଛି ଆମର ଲକ୍ଷ୍ୟ । ଏହି ଲକ୍ଷ୍ୟ ପୂରଣ ଦିଗରେ ଶିଶୁ ପ୍ରକଳ୍ପ ଅଧିକାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତବ୍ୟକ୍ତ କରିଛନ୍ତି । ଆଜି ଲୋକସେବା ଭବନ ସମ୍ମେଳନ କକ୍ଷରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ମାନଙ୍କ ନିମନ୍ତେ ଏକଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କୁ ସୁଭଦ୍ରା ସଫଳତାର ଶ୍ରେୟ ଦେବା ସହ ରାଜ୍ୟରେ ମହିଳା ନେତୃତ୍ୱାଧୀନ ବିକାଶକୁ ତ୍ୱରାନିତ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନବାଡିର ଭିତ୍ତିଭୂମିକୁ ସୁଦୃଢ କରିବା ସହ ନିର୍ମାଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଇନଫ୍ରା ଆପ-“ୱସମ”(ଅଙ୍ଗନବାଡି ୱେଲଫେୟର ଆଣ୍ଡ ସର୍ଭିସ ଓଭରସାଇଟ ମନିଟରିଙ୍ଗ ଏଭରିହୋୟାର) କୁ ଲୋକର୍ପଣ କରିଛନ୍ତି । ଅଙ୍ଗନବାଡି ପରିସରରେ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଆସନ୍ତା ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ ରୁ ୭ ତାରିଖରୁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା “ଆସ ଯିବା ଅଙ୍ଗନବାଡି” ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ରାଜ୍ୟବାସୀମାନେ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରି ଅଙ୍ଗନବାଡିର ଭିତ୍ତିଭୂମି, ସ୍ୱଚ୍ଛତା ଓ କାର୍ଯ୍ୟଶୈଳୀ ଉପରେ ନିଜର ମତାମତ ରଖିବେ। ସେହି ମତାମତକୁ ଦୃଷ୍ଟିରେ ରଖି ଅଙ୍ଗନବାଡିର କାର୍ଯ୍ୟାନ୍ୱୟନ ନିର୍ଦ୍ଧାରିତ କରାଯିବ ବୋଲି ଶ୍ରୀମତୀ ପରିଡା ଦୃଢ ମତ ରଖିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଓ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାରୁ ଆସିଥିବା ୪୦୦ରୁ ଅଧିକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ମନୋଜ ଆହୁଜା ଉପସ୍ଥିତ ରହି ସିଡିପିଓମାନଙ୍କୁ ଜନକେନ୍ଦ୍ରିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଭିଜନ ଓଡ଼ିଶା ଦସ୍ତାବିଜରେ ମହିଳା ଓ ଶିଶୁମାନଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷାର ଏକ ପ୍ରମୁଖ ଭୂମିକା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟକର୍ତାଙ୍କ ତାଲିମ ବ୍ୟବସ୍ଥାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ କୋପରେସନ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ(ଏନଆଇପିସିସିଡ଼ି) ମଧ୍ୟରେ ଏକ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣାପତ୍ର ଓଡ଼ିଶାରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏବଂ କର୍ମଚାରୀଙ୍କ ନିୟମିତ ତାଲିମ, ଦକ୍ଷତା ଓ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଏନଆଇପିସିସିଡ଼ିର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସଂଘମିତ୍ରା ବାରିକ ମତ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନରେ ବିତ ପରାମର୍ଶଦାତା ଓ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଏଲୋରା ମହାନ୍ତି ସିଡିପିଓମାନଙ୍କ ଭୂମିକା ଓ ଡିଡିଓ ହିସାବରେ ସେମାନଙ୍କ ଦାୟିତ୍ୱ ଓ ପ୍ରତିଷ୍ଠାନର କାର୍ଯ୍ୟଶୈଳୀ ଏବଂ ଦ୍ୱିତୀୟ ଅଧିବେଶନରେ ଶ୍ରୀମତୀ ଇତିଶ୍ରୀ ଦାସ ପେନସନ ରୁଲ, ଲିଭ୍ ରୁଲ, ପରଫର୍ମାମାସ୍ ଆପ୍ରାଇଜାଲ ରିପୋର୍ଟ (ପାର), ଟିଏ ରୁଲ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟଶୈଳୀ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ତୃତୀୟ ଅଧିବେଶନରେ ଅତିରିକ୍ତ ସଚିବ, ଜ୍ୟୋତିଶଙ୍କର ମହାପାତ୍ର ପୋଶ ଆଇନ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା