ଭୁବନେଶ୍ୱର, ୩୦ ଜୁଲାଇ (ହି.ସ)- ପୁରୀ ଏବଂ ରାଉରକେଲା ମଧ୍ୟରେ ଦ୍ରୁତ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ଉପଲବ୍ଧ କରାଇବା ପାଇଁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ୨୦୮୩୬/୨୦୮୩୫ ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ୫୦% କୋଚ୍ ବୃଦ୍ଧି ଘୋଷଣା କରିଛି । ଏହି ଟ୍ରେନଟି ଆସନ୍ତା ଅଗଷ୍ଟ ୦୭ ତାରିଖ ଠାରୁ ୮ କୋଚ୍ ବଦଳରେ ୧୬ କୋଚ୍ ସହିତ ଚଳାଚଳ କରିବ।
ଏହି କୋଚ ସଂଯୋଗ ବୃଦ୍ଧିରେ ଆଠଟି ଏସି ଚେୟାର କାର୍ କୋଚ୍ ଯୋଡାଯାଇଛି, ଯାହାର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ୱେଟିଂ ଲିଷ୍ଟକୁ ହ୍ରାସ କରିବା, ଯାତ୍ରୀ ସଂଖ୍ୟାକୁବୃଦ୍ଧି କରିବା ଏବଂ ସମଗ୍ର ଓଡ଼ିଶାରେ ଏହି ପ୍ରତିଷ୍ଠିତ ସେମି-ହାଇ-ସ୍ପିଡ୍ ଟ୍ରେନ୍ ସେବାକୁ ଆହୁରି ପ୍ରୋତ୍ସାହିତ କରିବା। ଅପଗ୍ରେଡ୍ ରେକ୍ କମ୍ପୋଜିସନ୍ ରେ ଏବେ ୧୨ଟି ଏସି ଚେୟାର କାର୍ କୋଚ୍, ୨ଟି ଏକଜିକ୍ୟୁଟିଭ୍ ଚେୟାର କାର୍ କୋଚ୍ ଏବଂ ୨ଟି କ୍ରିୟୁ ଏବଂ ଏସି ଚେୟାର କାର୍ କୋଚ୍ ରହିବ।
ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଆରମ୍ଭ ହେବା ପରଠାରୁ ଯାତ୍ରୀମାନଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଛି। ଏହି ଟ୍ରେନ୍ ଟି ବର୍ତମାନ ୧୧୦% ରୁ ଅଧିକ କ୍ଷମତାରେ ଚଳାଚଳ କରୁଛି, ଯାହା ଏହାର ଲୋକପ୍ରିୟତାକୁ ଦର୍ଶାଉଛି। ଟ୍ରେନ୍ ନମ୍ବର ୨୦୮୩୬ (ପୁରୀ-ରାଉରକେଲା) ୧୧୨.୭୬% ଚାହିଦା ରେକର୍ଡ କରିଛି ଏବଂ ଟ୍ରେନ୍ ନମ୍ବର ୨୦୮୩୫ (ରାଉରକେଲା-ପୁରୀ)ର ୧୨୭.୬୪% ଚାହିଦା ରହିଛି ଯାହା ଦୈନନ୍ଦିନ ଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଏହାର ବର୍ଦ୍ଧିତ ଲୋକପ୍ରିୟତାକୁ ପ୍ରତିଫଳିତ କରୁଛି।
ଯାତ୍ରୀଙ୍କ ପସନ୍ଦ ଏବଂ ଯାତ୍ରା ଚାହିଦାର ସମୀକ୍ଷା ପରେ ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ରେ କୋଚ ସଂଯୋଗକୁ ବୃଦ୍ଧି କରିବାର ନିଷ୍ପତି ନିଆଯାଇଛି ଓ ବର୍ଦ୍ଧିତ କୋଚ ସଂଯୋଗ ଦ୍ୱାରା ଅଧିକ ଯାତ୍ରୀ ଏକ ଦ୍ରୁତ, ଆରାମଦାୟକ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ପରିବହନ ପଦ୍ଧତିର ଅଭିଜ୍ଞତା ଲାଭ ପାଇପାରିବେ । ଏହି ପଦକ୍ଷେପ ରାଜ୍ୟର ଆଂଚଳିକ ସଂଯୋଗୀକରଣ, ପର୍ଯ୍ୟଟନ ଏବଂ ଅର୍ଥନୈତିକ ବୃଦ୍ଧିରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।
ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଏକ ସେମି-ହାଇ-ସ୍ପିଡ୍ ଟ୍ରେନ୍ ଯାହା ଓଡ଼ିଶାର ପୁରୀକୁ ରାଉରକେଲା ସହିତ ସଂଯୋଗ କରୁଛି ଓ ଏହି ଟ୍ରେନ ପ୍ରାୟ ୭.୫ ଘଣ୍ଟାରେ ୫୦୫ କିଲୋମିଟର ଦୂରତା ଯାତ୍ରା କରିଥାଏ । ଏହି ଟ୍ରେନ୍ ଟି ମଙ୍ଗଳବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚଳାଚଳ କରୁଥିବାବେଳେ, ପୁରୀରୁ ସକାଳ ୫ ଟା ସମୟରେ ଏବଂ ରାଉରକେଲାରୁ ଅପରାହ୍ନ ୨ଘ :୧୦ ସମୟରେ ଛାଡ଼ିଥାଏ। ଏହି ଟ୍ରେନ୍ ନଅଟି ଷ୍ଟେସନରେ ଅର୍ଥାତ ଖୋର୍ଦ୍ଧା ରୋଡ୍ ଜଙ୍କସନ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରାଇରାଖୋଲ, ସମ୍ବଲପୁର ସିଟି ଏବଂ ଝାରସୁଗୁଡ଼ା ଜଙ୍କସନ୍ ଠାରେ ରହଣି କରେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା