ବାରିପଦା, ୪ ଜୁଲାଇ (ହି.ସ.)- ଘରେ ପଶି ବୃଦ୍ଧଙ୍କୁ ଦଳି ମାରିଲା ଗୋଠଛଡ଼ା ଦନ୍ତା ହାତୀ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ କାଶିଆବେଡା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକ ହେଲେ ପରେଶ ଚନ୍ଦ୍ର ଗିରି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଚାଉଳ ଖାଇବାକୁ ଗୋଠଛଡ଼ା ଦନ୍ତାହାତୀଟି କବାଟ ଭାଙ୍ଗି ବୃଦ୍ଧଙ୍କ ଘର ଭିତରକୁ ପଶି ଯାଇଥିଲା ।
ବୃଦ୍ଧ ଜଣକ ଠିକ୍ ଭାବେ ଦେଖି ପାରୁ ନ ଥିବାରୁ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ବୃଦ୍ଧଙ୍କୁ ଦନ୍ତା ହାତୀଟି ପାଦରେ ଦଳି ଦେଇଥିଲା l ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା l ଏ ସମ୍ପର୍କରେ ଖବର ପାଇ ରରୁଆଁ ପୁଲିସ ସହ ବନ ବିଭାଗ ଟିମ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ