ଖୋର୍ଦ୍ଧା, ୦୪ ଜୁଲାଇ(ହି.ସ.) – ଖୋର୍ଦ୍ଧା ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପୋଲିସ ଶୁକ୍ରବାର ପର୍ଦ୍ଦାଫାଶ କରିଛି। ତେବେ ୪ ହଜାର ଟଙ୍କା ପାଇଁ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଏସ୍ପି ସଗରିକା ନାଥ ଖୋର୍ଦ୍ଧା ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ହତ୍ୟା କାଣ୍ଡରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ୩ଟି ବାଇକ,ଦୁଇଟି ଠେଙ୍ଗା, ଗୋଟିଏ ମୋବାଇଲ,ସମେତ ଗୋଟିଏ ଅଟୋ ଓ ଗୋଟିଏ ଟାଟା ମ୍ୟାଜିକ ଗାଡ଼ି ଜବତ କରିଛି। ଗିରଫମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ପଦନପୁର ଗାଁର ଭିମରାଜ ମହାନ୍ତି(୩୮)ତାର ସାନ ଭାଇ ସୁରେଶ ମହାନ୍ତି(୩୬), ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆର ବିକ୍ରମ ଦାସ (୨୮)। ମୃତକ ଜଟଣୀର ବିକାଶ ନଗରର ହିରଣ୍ୟ ବେହେରା ହୋଇଥିବା ବେଳେ ସେ ମୁଖ୍ୟ ଅଭିଯୁକ୍ତ ଭିମାରାଜ ଓ ସୁରେଶଙ୍କ ଠାରୁ ୪ ହଜାର ଟଙ୍କା ଧାର ନେଇଥିଲେ। ହେଲେ ସେମାନେ ବାରମ୍ବାର ଟଙ୍କା ମାଗିବା ସତ୍ୱେ ଟଙ୍କା ପାଇନଥିଲେ। ପରେ ଅଭିଯୁକ୍ତମାନେ ଶନିବାର ହିରାଣ୍ୟଙ୍କୁ ଘରୁ ଉଠାଇ ଆଣିଥିଲେ। ପରବର୍ତୀ ସମୟରେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରି ଖୋର୍ଦ୍ଧା ବଧା ପୋଖରୀ ନିକଟ ରାସ୍ତା କଡ଼ରେ ଥିବା ବିଲରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ପ୍ରକାଶ ଥାଉକି ଗତ ରବିବାର ସକାଳୁ ସକାଳୁ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ପୋଖରୀ କୂଳରେ ଜଣେ ଯୁବକ ମରି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କର ଭିଡ଼ ଜମିଥିଲା। ସୂଚନା ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ପୋଲିସ ସହିତ ସାଇଂଟିଫିକ୍ ଟିମ୍ ପହଂଚିଥିଲା। ପରେ ତଦନ୍ତ କରି ଜାଣିବାକୁ ପାଇଲା ଯୁବକଙ୍କ ମୁଣ୍ଡ ଡାହାଣ ପାଖ ଆଖି ପତା ଉପରେ ଆଘାତ ଚିହ୍ନ ରହିଛି ଏପରିକି ଛାତିରେ ବି ମାଡ଼ ହୋଇଥିବା ନେଇ ପୋଲିସ ଆଶଙ୍କା କରିଥିଲା।
ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ