ବାହୁଡ଼ା ରଥଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବମୁଖର
ସମ୍ବଲପୁର, ୦୫ ଜୁଲାଇ(ହି.ସ.) – ପଶ୍ଚିମ ଓଡ଼ିଶାର ରାଜଧାନୀ ତଥା ମନ୍ଦିରମୟ ସମ୍ବଲପୁର ସହରରେ ଆଜି ମହାଆଡ଼ମ୍ବରରେ ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା ଆରମ୍ଭ ହୋଇଯାଇଛି। ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ସାତ ଦିନ ଧରି ଗୁଣ୍ଡିଚା ଘରେ ରହିଥିଲେ। ସେଠାରେ ବିଭିନ୍ନ ବେଶରେ ଭକ୍ତମାନଙ୍କୁ
ବାହୁଡା ରଥଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବମୁଖର


ବାହୁଡା ରଥଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବମୁଖର


ସମ୍ବଲପୁର, ୦୫ ଜୁଲାଇ(ହି.ସ.) – ପଶ୍ଚିମ ଓଡ଼ିଶାର ରାଜଧାନୀ ତଥା ମନ୍ଦିରମୟ ସମ୍ବଲପୁର ସହରରେ ଆଜି ମହାଆଡ଼ମ୍ବରରେ ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା ଆରମ୍ଭ ହୋଇଯାଇଛି। ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ସାତ ଦିନ ଧରି ଗୁଣ୍ଡିଚା ଘରେ ରହିଥିଲେ। ସେଠାରେ ବିଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ଆଜି ଆଷାଢ ଶୁକ୍ଲ ଦଶମୀ ତିଥିରେ ବାହୁଡ଼ା ରଥରେ ଆପଣା ମନ୍ଦିରକୁ ବାହୁଡାବିଜେ କରିଛନ୍ତି। ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ବିଗ୍ରହମାନଙ୍କୁ ରଥାରୂଢ଼ କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା। ସହରର ୨୫ଟି ଜଗନ୍ନାଥ ମନ୍ଦିରରେ ପୃଥକ୍ ପୃଥକ୍ ଭାବେ ରଥଯାତ୍ରା ଆୟୋଜନ କରାଯାଇଛି। ରଥାରୂଢ଼ ବିଗ୍ରହମାନଙ୍କୁ ଦର୍ଶନ କରିବା ପାଇଁ ରଥ ଗୁଡିକର ଚତୁଃପାର୍ଶ୍ୱରେ ଭକ୍ତମାନଙ୍କ ବ୍ୟାପକ ଗହଳି ଲାଗିରହିଥିବା ପରିଲକ୍ଷିତ ହୋଇଥିଲା। ଝିପିଝିପି ବର୍ଷା ସତ୍ୱେ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଉପଲକ୍ଷେ ରଥରେ ଆସୀନ ଚତୁର୍ଦ୍ଧା ମୁର୍ତି ବାହୁଡ଼ା ଯାତ୍ରାରେ ଯାଉଥିବା ବେଳେ ବାଟରେ ଶ୍ରଦ୍ଧାଳୁମାନେ ସମର୍ପଣ, ପୂଜା ଓ ଆଳତୀ କରିଥିଲେ।

ସେହିଭଳି ଅନ୍ନପ୍ରାସନ୍ନ କରିଥିବା ନବଜାତକମାନଙ୍କୁ ସେମାନଙ୍କ ପରିବାର ଲୋକେ ରଥ ସ୍ପର୍ଶ ବା ରଥ୍‌ଛୁଆଁନି କରାଇଥିଲେ। ରଥରେ ଥିବା ପୂଜକମାନେ ଶିଶୁମାନଙ୍କ ଗଳାରେ ଠାକୁରଙ୍କ ନାଗି ତୁଳସୀ ଓ ଫୁଲ ମାଳ ପିନ୍ଧାଇଥିଲେ। ସୁଚନାଯୋଗ୍ୟ ଏଠାରେ ବାହୁଡ଼ା ଯାତ୍ରା ଦୁଇଦିନ ଧରି ଚାଲିଥାଏ। ଆସନ୍ତାକାଲି ଧାର୍ଯ୍ୟ ସମୟରେ ପୁନର୍ବାର ରଥଟଣା ଆରମ୍ଭ ହେବ। ଚତୁର୍ଦ୍ଧାମୂର୍ତି ରଥରେ ମନ୍ଦିରକୁ ଫେରିବା ପରେ ଅନ୍ୟାନ୍ୟ ନୀତି ସମ୍ପର୍ଣ୍ଣ ହେବ। ଝାଡ଼ୁଆପଡ଼ା ଠାରେ ଆଗାମୀ ୬ ତାରିଖ ରବିବାର ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥ ଉପରେ ସୁନା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ରଥାରୁଢ ଚତୁର୍ଦ୍ଧାମୂର୍ତିଙ୍କ ସୁନାବେଶ ପରେ ୭ତାରିଖ ସୋମବାର ସନ୍ଧ୍ୟାରେ ଅଧରପଣା ନୀତି ଓ ରସଗୋଲା ଭୋଗ ଲାଗି ହେବ। ପରେ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ପ୍ରତିନିଧି ସେବାୟତଙ୍କ ମଧ୍ୟରେ ବଚନିକା ନୀତି ସରିବା ପରେ ବିଗ୍ରହମାନେ ଗମ୍ଭୀରା ବିଜେ କରିବେ।

ବ୍ରହ୍ମପୁରା, ଦଧିବାମନ, ହୋତାପଡ଼ା, ସତ୍ୟବାଦୀ, ମଦନମୋହନ, ଯଜ୍ଞବରାହ, ମୁଦିପଡ଼ା, ଟିମିନି, ଧନୁପାଲି, ବାଲିବନ୍ଧାର ଗୋପାଲଜୀ, ସାକ୍ଷୀପଡ଼ା, ଗୋଲବଜାର, କ୍ଷେତରାଜପୁର, ବଡ଼ବଜାର, ଭତରା, ବୁଢ଼ାରଜା, ରେମେଡ଼, ଗୋପାଳମାଲ, ବଇଦାର ନୂଆଁପାଲି ଓ ଧନକଉଡ଼ାଠାରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ସେହିପରି ଜିଲ୍ଲାର ବିଭିନ୍ନ ଗ୍ରାମ ଓ ସହରରେ ମଧ୍ୟ ଆଜି ଦଶମୀ ରଥଯାତ୍ରା ପାଳିତ ହେଉଛି। ଆଜିର ବାହୁଡ଼ା ରଥ ଯାତ୍ରାକୁ ଅଂଚଳରେ ଦଶମୀ ରଥ କୁହାଯାଏ। ଜିଲ୍ଲାରେ ବିଭିନ୍ନ ମନ୍ଦିରରେ ପୂର୍ଣ୍ଣିମା ଦିନ ପର୍ଯ୍ୟନ୍ତ ରଥରେ ପୁଜା ପାଇବା ପରେ ସ୍ୱ ସ୍ୱ ଗମ୍ଭୀରାରେ ବିଜେ କରିବାର ପରମ୍ପରା ରହିଛି। ଏହି ସମୟରେ ଗାଁ ମାନଙ୍କରେ ଉତ୍ସବ ଓ ମେଳା ଆୟୋଜନ କରାଯାଇଥାଏ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande