ଜୟପୁର, ୫ ଜୁଲାଇ (ହି.ସ.)- ଆଜି ବି ଦୁର୍ଗମ ଅଂଚଳରେ ପହଂଚି ପାରିଲାନି ରାସ୍ତା । ଯଦ୍ୱାରା ବଦଳି ପାରିଲାନି ପାହାଡିଆ ଗାଁ ର ନକ୍ସା । ମୌଳିକ ସମସ୍ୟାର ସମାଧାନ ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ ।
ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡା ପଂଚାୟତ ଅନ୍ତର୍ଗତ ଚାଂଚଡାପଦର ଗାଁର ଦୁର୍ଗମ ଅଂଚଳରେ ପହଂଚି ପାରିଲାନି ବିକାଶ ଓ ଆଜିବି ନା ଏଠି ଖଣ୍ଡିଏ ରାସ୍ତାର ସୁବିଧା ଅଛି ନା ପାନୀୟ ଜଳର ସୁବିଧା ହେଇଛି । ଜୀବନ ଜୀଇବା ପାଇଁ କୌଣସି ଜୀବିକା ବି ନାହିଁ । ବାଧ୍ୟ ହୋଇ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେସବୁକୁ ଅନ୍ୟ ଗାଁ ରେ ବିକ୍ରିକରି ସେଥିରୁ ନିଜର ଗୁଜୁରାଣ ମେଂଟାନ୍ତି ଗ୍ରାମବାସୀ । କିଛି ଲୋକ ପାହାଡିଆ ପାଣିକୁ ଭରସା କରି ମାଣ୍ଡିଆ, ସୁଆ ଓ ପନିପରିବା ଚାଷ କରି ସେଥିରୁ କିଛି କିଛି ରୋଜଗାର କରନ୍ତି । ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏହି ଦୁର୍ଗମ ଅଂଚଳରେ ଅପହଂଚ । ଏଭଳି ଗାଁ ହେଉଛି ବୋରିଗୁମ୍ମା ବ୍ଲକର ଚାଂଚଡାପଦର ଗାଁ । ପଂଚାୟତ ସଦର ମହକୁମା ଠାରୁ ୮ କି.ମି. ଦୂରରେ ଅବସ୍ଥାପିତ ଏହି ଗାଁ । ଗାଁ କୁ ଯିବାକୁ ହେଲେ ମାଳିଗୁଡା ଠାରୁ ୩ କିଲୋମିଟର ଘଂଚ ଜଙ୍ଗଲ ମଝିରେ ଅଙ୍କାବଙ୍କା ସଂକୀର୍ଣ ରାସ୍ତା ଦେଇ ଗଲେ ପଡେ ଏହି ଗାଁ । ସ୍ୱାଧିନତାର ୭୭ ବର୍ଷ ପରେ ବି ଏଠି ବିକାଶ ତ ଦୂରର କଥା ମୌଳିକ ସମସ୍ୟାର ସମାଧାନ ହୋଇପାରିନି । ଗାଁ ରେ ୫୦ ପରିବାର ୩୦୦ ରୁ ଉର୍ଦ୍ଧ୍ୱ ସଦସ୍ୟ ବସବାସ କରନ୍ତି । ଜଙ୍ଗଲ ମଧ୍ୟରେ ସଂକୀର୍ଣ ରାସ୍ତା ହିଁ ଏମାନଙ୍କ ଗମନାଗମନର ମାଧ୍ୟମ । ପ୍ରତି ମାସରେ ବୃଦ୍ଧ ବୃଦ୍ଧା ହିତାଧିକାରୀ ମାନେ ପଂଚାୟତରୁ ଚାଉଳ ଓ ବିଧବା ଭତା ଟଙ୍କା ଧରି ବହୁ କଷ୍ଟରେ ଗାଁ କୁ ଫେରନ୍ତି । ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ଲାଗିଥିବା ଟେଙ୍କ ଫାଟି ପଡିଛି । ଫଳରେ ପାଣି ପାଇଁ ମାଇଲ ମାଇଲ ବାଟ ଚାଲିଛନ୍ତି ମହିଳା ମାନେ । ବହୁବର୍ଷ ତଳର ଏକ ନଳକୂପ ରହିଛି, ହେଲେ ସେଥିରୁ ପାଣି ବାହାରୁନି । ଗାଁ ଲୋକଙ୍କ ତୃଷ୍ନା ମେଣ୍ଟାଉଥିବା ଏକମାତ୍ର କୁପ ଖରାଦିନ ହେଲେ ସେହି କୂଅ ପାଣି ବି ସୁଖି ଯାଉଛି । ଗାଁ ରେ କେବଳ ୧୨ଟି ପରିବାରଙ୍କୁ ହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି ସେ ସବୁ ଘର ବି ଅଧପନ୍ତରିଆ ଅବସ୍ଥାରେ ପଡିଛି । ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନି । ଫଳରେ ଗର୍ଭବତୀ ମହିଳା ଓ ରୋଗୀକୁ ୪ କି.ମି. ପାହାଡିଆ ରାସ୍ତାରେ କାନ୍ଧରେ ବୋହି ମାଳିଗୁଡା ପର୍ଯ୍ୟନ୍ତ ଆଣିଲେ ସେଠାରୁ ଆମ୍ବୁଲାନ୍ସରେ ମେଡ଼ିକାଲ ଯାଆନ୍ତି । ସରକାରୀ ସ୍ତରରେ କାମ ନପାଇ ଜଙ୍ଗଲଜାତ ଦ୍ରବ୍ୟ ଓ କାଠ ସଂଗ୍ରହ କରି ସେଥିରେ ଜୀବିକା ନିର୍ବାହ କରନ୍ତି ଏମାନେ । ଗାଁ କୁ ରାସ୍ତା ସଂଯୋଗ କରିବା ସହିତ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରିବା ପାଇଁ ଗ୍ରାମବାସୀ ବିଶ୍ୱନାଥ ମୁଦୁଲି, କମଳା ମୁଦୁଲି ଦାବି କରିଛନ୍ତି । ଚାଂଚଡାପଦର ଗାଁ କୁ ରାସ୍ତା, ସଂଯୋଗ ହୋଇନଥିବାରୁ ଏଠି ସରକାରୀ ଯୋଜନା ପହଂଚି ପାରୁନି । ଅନେକ ଗରିବ ଆଦିବାସୀ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇପାରୁ ନାହାନ୍ତି । ବର୍ଷ ବର୍ଷ ଧରି କୌଣସି ସରକାରୀ ବାବୁଙ୍କର ପାଦ ବି ପଡୁନି ଏହି ଗାଁ ରେ । ଏସବୁ ସମସ୍ୟାକୁ ନେଇ ପ୍ରଶାସନକୁ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ