ଭୁବନେଶ୍ୱର, ୦୫ ଜୁଲାଇ (ହି.ସ.)- ଶ୍ରୀଜଗନ୍ନାଥ ଧାମର ସମୃଦ୍ଧ ଇତିହାସ ଓ ପରମ୍ପରା ସଂପର୍କରେ ପୁରୀକୁ ଆସୁଥିବା ଭକ୍ତଗଣଙ୍କୁ ଜଣାଇବା, ପୁରୀକୁ ଏକ ଉତମ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢି ତୋଳିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ପୁରୀ ଠାରେ ଏକ ବିଶ୍ୱ ସ୍ତରୀୟ ଶ୍ରୀ ଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶନିବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ସଂପୃକ୍ତ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ।
ଶ୍ରୀ ଜଗନ୍ନାଥ ମ୍ୟୁଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ଗୋଟିଏ ପରିସରରେ ନିର୍ମିତ ହେବାକୁ ଥିବାବେଳେ ଏଥିପାଇଁ ସ୍ଥାନ ନିରୂପଣ ଓ ଆନୁଷଙ୍ଗିକ ପ୍ରସ୍ତୁତି ନିମନ୍ତେ ଏକ କମିଟି ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ଏହି ବ୍ୟବସ୍ଥା କରାଯିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏକ ସୁଯୋଗ ପ୍ରଦାନ କରିଛି । ଏହାର ନିର୍ମାଣ କିପରି ଗୁଣାତ୍ମକ ଓ ଆକର୍ଷଣୀୟ ହେବ, ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।
ଅନୁଷ୍ଠିତ ବୈଠକରେ ରାଜ୍ୟ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।ଖୁବ୍ ଶୀଘ୍ର ପରବର୍ତୀ ଡକାଯାଇ ଆଲୋଚନା ପୂର୍ବକ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ମୁଖ୍ୟ ଶାସନ ସଚିବ ରାଜସ୍ୱ ବିଭାଗ, ସଂସ୍କୃତି ବିଭାଗ ସଚିବ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶଦେଇଛନ୍ତି ।କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ପୁରୀ ଜିଲ୍ଲାପାଳ ଏବଂ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସମେତ ସମ୍ପୃକ୍ତ ସମସ୍ତଙ୍କ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା