ଭୁବନେଶ୍ୱର ୦୭ ଜୁଲାଇ(ହି.ସ.)
ମୋଦୀ ଶାସନର ୧୧ବର୍ଷ ମଧ୍ୟରେ ଶ୍ରମଜୀବୀ ମାନଙ୍କର ଦୁର୍ଦ୍ଦଶା ଏହାର ଚରମ ସୋପାନରେ ପହଞ୍ଚôଛି । ବେକାରୀ, ଦୁରାବସ୍ଥା ଏବଂ ଅସମାନତା ଏବେ ଆକାଶଛୁଆଁ ହେବାରେ ଲାଗିଛି । ମଜୁରିର ପରିମାଣ କମିବାରେ ଲାଗିଛି । ଶ୍ରମିକଙ୍କର ଅଧିକାର ତଥା ସାମାଜିକ ସୁରକ୍ଷା ନଷ୍ଟ ବିନଷ୍ଟ ହେବାରେ ଲାଗିଛି ।
ଶ୍ରମିକମାନଙ୍କୁ ସପ୍ତାହକୁ ୭୦ ରୁ ୯୦ ଘଣ୍ଟା କାମ କରାଇବା ପାଇଁ କର୍ପୋରେଟ ଜଗତ ପକ୍ଷରୁ ଚିକ୍ରାର କରାଯାଉଛି । ଅନ୍ୟ ପକ୍ଷରେ ‘ବ୍ୟବସାୟ କରିବାକୁ ସହଜ’ ହେବା ନାମରେ ଉଦ୍ୟୋଗ ଜଗତକୁ ଦେଶର ସମ୍ପତ୍ତିକୁ ଲୁଟିବା ପାଇଁ ଖୋଲା ଛୁଟ ଦେଇ ଦିଆଯାଉଛି । ଜନସଂଖ୍ୟାର ୫ % ଉଚ୍ଚବର୍ଗଙ୍କ ନିକଟରେ ୭୦% ସମ୍ପତ୍ତି ରହିଛି । ଅଥଚ ତଳସ୍ତରରେ ଥିବା ୫୦% ଲୋକଙ୍କ ପାଖରେ ଦେଶର ମୋଟ ସମ୍ପତ୍ତିର ମାତ୍ର ୩% ରହିଛି । ମୋଦୀ ଶାସନର ତୃତୀୟ କାର୍ଯ୍ୟକାଳରେ ଏହା ଲୋକଙ୍କ ଜୀବନ ଓ ଜୀବିକା ଉପରେ ଏହାର ଆକ୍ରମଣକୁ ଆହୁରି ତୀବ୍ର କରିଛି ଓ କର୍ପୋରେଟ୍ର ଗୋଲାମୀ ନୀତିକୁ ଆହୁରି ଆଗକୁ ବଢାଇବାର ଉଦ୍ୟମ କରିଛି, ଯେଉଁଥିରେ ସଂବିଧାନ, ନାଗରିକ ଅଧିକାରଠୁ ନେଇ ଜନକଲ୍ୟାଣକାରୀ ରାଷ୍ଟ୍ର, ସାର୍ବଜନୀନ ସରକାରୀ କ୍ଷେତ୍ର, ସୁରକ୍ଷିତ ତଥା ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ସବୁକିଛି ସାମିଲ ଅଛି ।
କଠିନ ପରିଶ୍ରମ ଓ ଅନେକ ତ୍ୟାଗ ଫଳରେ ହାସଲ କରାଯାଇଥିବା ଶ୍ରମ ଆଇନ୍ ଗୁଡିକୁ ରଦ୍ଦ କରି ତା’ ସ୍ଥାନରେ ୪ଟି ଶ୍ରମକୋର୍ଡ ପ୍ରସ୍ତୁତ କରିବା ପରେ ମୋଦି ସରକାର ଏହାକୁ ଲାଗୁ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି । ଶ୍ରମକୋର୍ଡ ଲାଗୁ ହୋଇଗଲେ ଶ୍ରମିକଶ୍ରେଣୀ କର୍ପୋରେଟ ବା ମାଲିକ ଶ୍ରେଣୀଙ୍କର ଗୋଲାମ ହୋଇ ରହିବେ । ଏହି କୋର୍ଡ ଶ୍ରମିକମାନେ କେତେ ଘଣ୍ଟା କାମ କରିବେ,ସର୍ବନିମ୍ନ ମଜୁରି, ସାମାଜିକ ସୁରକ୍ଷା ଆଦି ସମସ୍ତ ଅଧିକାରକୁ ଛଡ଼ାଇ ନେବ । ଶ୍ରମିକକୁ ନିଜ ଉଚ୍ଛା ଅନୁସାରେ କାମରେ ରଖି ନିଜ ଇଚ୍ଛା ଅନୁସାରେ ଛଟେଇ କରିବା (ହାୟାର ଆଣ୍ଡ ଫାୟାର) ଆଇନ ହୋଇଯିବ । ସଂଗଠନ ଗଢ଼ିବା, ମାନ୍ୟତା,ସାମୂହିକ ମୂଲଚାଲ, ହରତାଳର ଅଧିକାର ସହିତ ବିରୋଧର ସବୁ ପ୍ରକାରର ସାମୂହିକ ଅଭିବ୍ୟକ୍ତିର ଅଧିକାରକୁ ଶେଷ କରି ଦିଆଯିବ । ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ସହିତ ୩ଟି ନୂଆ ଅପରାଧିକ ଆଇନକୁ ଲାଗୁ କରିବା ସହିତ ୟୁଏପିଏ, ପିଏମଏଲଏ ଆଦିର ଉଦେ୍ଦଶ୍ୟ ହେଉଛି ଶ୍ରମିକ ସଂଘମାନଙ୍କର ସାମୂହିକ କାର୍ଯ୍ୟକ୍ରମକୁ ଅପରାଧିକ କାର୍ଯ୍ୟ ବୋଲି ଦେଖାଇବା । ଏହା ସହିତ ପୁଲିସ ରାଜ ଓ ବୁଲଡୋଜର ରାଜ ଶାସନର ଏକ ଢାଞ୍ଚା ହୋଇଗଲାଣି ଯାହାକି ଗରିବ ଓ ବଞ୍ଚôତ ମଣିଷମାନଙ୍କର ଜୀବନ ଜୀବିକାକୁ ନିର୍ଦ୍ଦୟ ଭାବରେ ଧ୍ୱଂସ କରିବାରେ ଲାଗିଛି । ବିନା କୌଣସି ଅଧିକାରରେ ଶ୍ରମିକଶ୍ରେଣୀର ଭାଗ୍ୟ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯିବ ।
ଯେତେବେଳେ କି ଶ୍ରମିକଙ୍କ ମଜୁରିକୁ ବହୁ ପରିମାଣରେ କମ କରି ଦିଆଯାଉଛି ଏବଂ ସବୁ ପ୍ରକାରର ସାମାଜିକ ସୁରକ୍ଷାକୁ ସମାପ୍ତ କରାଯିବାରେ ଲାଗିଛି, କଲ୍ୟାଣ ବୋର୍ଡଗୁଡ଼ିକୁ ସମାପ୍ତ କରି ଦିଆଯାଉଛି, ଯେପରିକି ବିଡ଼ି, ନିର୍ମାଣ ଆଦି ଶ୍ରମିକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି, ତୃତୀୟରେ ଓପିଏସ ଅର୍ଥାତ୍ ପୁରୁଣା ପେନସନ ଯୋଜନାକୁ ସମାପ୍ତ କରି ଦିଆଯାଇ ଏହାକୁ ଏନପିଏସ/ୟୁପିସ ଆକାରରେ ଲାଗୁ କରାଯାଉଛି । ଇପିଏଫ୍ ପେନସନ ଏବେ ନଗଣ୍ୟ ତଥା ଅପମାନଜନକ ହୋଇରହିଛି । ‘ସାମାଜିକ ସୁରକ୍ଷା ଉପରେ ଶ୍ରମକୋର୍ଡ’ବ୍ୟବସ୍ଥା ଶ୍ରମିକଙ୍କର କୌଣସି ବି ଅଧିକାରର ସୁରକ୍ଷା ପାଇଁ ବିନାଶକାରୀ ଅଟେ ।
ପ୍ରଥମରୁ ହିଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ସାମାଜିକ ଯୋଜନାଗୁଡ଼ିକ, ମାନଦେୟ, ପ୍ରୋତ୍ସାହନ ଆଧାରିତ ଆଶା, ଅଙ୍ଗନବାଡ଼ି,ଏମଡିଏମ୍ରେ କୋଟି କୋଟି ଲୋକଙ୍କୁ ବିନା ମଜୁରିରେ ଜବରଦସ୍ତ ଶ୍ରମିକ ସଜାଇ ଦିଆଯାଇଛି । ଏହା ବ୍ୟତୀତ ଏହି ଯୋଜନାଗୁଡ଼ିକର ଶେଷ ହୋଇଯିବାର ବିପଦ ଘୁରି ବୁଲିବାରେ ଲାଗିଛି । କାରଣ ମୋଦୀ ସରକାର ଏହି ସରକାରୀ ସେବା ଉପରେ ପ୍ରତିବର୍ଷ ବଜେଟରେ ଅର୍ଥ କମ କରିବାରେ ଲାଗିଛନ୍ତି । ପରିଣାମ ସ୍ୱରୂପ ଏହାକୁ ଘରୋଇକରଣ ଦିଗକୁ ଠେଲିବାରେ ଲାଗିଛନ୍ତି ।
ତିନୋଟି କଳା କୃଷି ଆଇନକୁ ଫେରାଇ ନେବାପାଇଁ ନିରୁପାୟ ହେବା ପରେ ମୋଦୀ ସରକାର ଇତି ମଧ୍ୟରେ ନିଜ ପକ୍ଷରୁ ଜାରୀ କରିଥିବା କୃଷି ବିପଣନ ଉପରେ ରାଷ୍ଟ୍ରୀୟ ନୀତିର ରୂପରେଖ ସହ ଆଣିଥିବା ଚିଠା ପ୍ରସ୍ତାବ ଜରିଆରେ ସେହି ପୁରୁଣା କଳା ଆଇନଗୁଡ଼ିକୁ ଫେରାଇ ଆଣିବା ଉଦେ୍ଦଶ୍ୟରେ ଅଛନ୍ତି । ଯାହାକି କୃଷକଙ୍କଠାରୁ ଚାଷଜମି ଛଡ଼ାଇ ନେଇ ଉଦ୍ୟାଗପତିମାନଙ୍କୁ ସମର୍ପି ଦେବ ।
ଏହି ସବୁ ସମସ୍ୟାକୁ ସମାଧାନ ଲାଗି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଆଗାମୀ ଜୁଲାଇ ୯ ତାରିଖରେ ୧୭ ଦଫା ଦାବିରେ ଦେଶବ୍ୟାପୀ ହରତାଳକୁ ସଫଳ କରିବା ପାଇଁ ସମସ୍ତ ବର୍ଗର ନାଗରିକମାନଙ୍କୁ ଅନୁରୋଧ କରିବା ସହିତ ବାମ ଓ ଗଣତାନ୍ତ୍ରିକ ରାଜନୈତିକ ଦଳମାନେ ଏହି ହରତାଳରେ ଯୋଗଦାନ କରି ଦେଶର ଶ୍ରମିକ ଓ କୃଷକମାନଙ୍କର ଅଧିକାରକୁ ବଂଚେଇ ରଖିବା ପାଇଁ ଏହି ହରତାଳରେ ସାମିଲ ହେବା ଲାଗି ଆମେ ଅନୁରୋଧ କରିଛନ୍ତି । ଆଜି ଆଇ.ଏନ୍.ଟି.ୟୁ.ସି କାର୍ଯ୍ୟାଳୟରେ ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରମିକ ନେତାମାନେ ଜୁଲାଇ ୯ ତାରିଖରେ ଓଡ଼ିଶାର ପୁରପଲ୍ଲୀ ଓ ସହରରେ ହରତାଳ କରିବାକୁ ଆହ୍ୱାନ ଦେଇ ୪ଟି ଶ୍ରମ କୋର୍ଡକୁ ବାତିଲ କରିବା, ଆଖିବୁଝା ଘରୋଇକରଣ ବନ୍ଦ କରିବା, ମାସିକ ସର୍ବନିମ୍ନ ମଜୁରୀ ଟ. ୨୬, ୦୦୦ ଟଙ୍କା ଡି.ଏ. ସହିତ ଦେବା, ମାସିକ ଟ. ୯୦୦୦ /- ପେନସନ୍, ଓପିଏସ୍ ଲାଗୁ କରିବା, ସ୍ମିକ୍ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ କରିବା, ମନରେଗାରେ କାର୍ଯ୍ୟଦିବସ ୨୦୦ ଦିନ କାମ ସହିତ ଦୈନିକ ମଜୁରୀ ୬୦୦ ଟଙ୍କା କରିବା, ପ୍ରବାସୀ ଶ୍ରମିକଙ୍କ ପାଇଁ ଆଇନକୁ ଦୃଢ଼ଭାବେ ଲାଗୁ କରିବା, କର୍ପୋରେଟ୍ ସପକ୍ଷବାଦୀ ଓ କୃଷକ ବିରୋଧି ବିପଣନ ନୀତିକୁ ଫେରସ୍ତ କରିବାକୁ ଓ ଉତ୍ପାଦିତ କୃଷି ସାମଗ୍ରୀର ସର୍ବନିମ୍ନ ମୁଲ୍ୟ ଧାର୍ଯ୍ୟ କରାଯିବାକୁ ବୈଧତା ପ୍ରଦାନ କରିବା ଲାଗି ଦାବି କରିବା ଲାଗି ପ୍ରମୁଖ ୧୭ ଦଫା ଦାବିକୁ ସରକାର ମାନି ନେବା ପାଇଁ ଦାବି କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ରାଜ୍ୟସଭାପତି ଡ. ରାମଚନ୍ଦ୍ର ଖୁଂଟିଆ, ପ୍ରାକ୍ତନ ସାଂସଦ, ଏ.ଆଇ.ଟି.ୟୁ.ସିର ନେତା ଜୟନ୍ତ ଦାସ, ଏଚ୍.ଏମ୍.ଏସ୍ ର ନେତା ବି.ଏନ୍. ମହାପାତ୍ର, ସି.ଆଇ.ଟି.ୟୁ.ର ନେତା ଦୁଷ୍ମନ୍ତ ଦାସ, ଏ.ଆଇ.ୟୁ.ଟି.ୟୁ.ସିର ନେତା ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟି.ୟୁର ସଭାପତି ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସାଧାରଣ ସମ୍ପାଦକ- ମହେନ୍ଦ୍ର ପରିଡା, ଟି.ୟୁ.ସି.ସିର ସଭାପତି ଜ୍ୟୋତିରଞ୍ଜନ ମହାପାତ୍ର, ଏଲ୍.ପି.ଏଫ. କାର୍ଯ୍ୟକାରୀ ସଭାପତି ମଧୁସୁଦନ ପ୍ରଧାନ ଓ ମାୟାଧର ସେଠୀ, ସ୍ୱାଧୀନ ଫେଡେରେସନ ପକ୍ଷରୁ ଅଜୟ ମହାନ୍ତି ଓ ବୃହସ୍ପତି ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା