ପୁରୀ, ୬ ଜୁଲାଇ (ହି.ସ.)- ବିଶ୍ୱନିୟନ୍ତା ଲୀଳାମୟଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର । ଲୀଳାମୟଙ୍କ ମାନବୀୟ ଲୀଳାଖେଳା ଚାଲିଛି । ଭାବର ଠାକୁର କାଳିଆ । କାଳିଆ ଭକ୍ତି ଭାବରେ ବନ୍ଧା । କାଳିଆର ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଭକ୍ତମୟ, ଜନସମୁଦ୍ର । ପ୍ରାଚୁର୍ଯ୍ୟ,ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡଦାଣ୍ଡରେ ବଡଦେଉଳ ଭିତରେ ବଡଠାକୁର ବିଶ୍ୱବିଦିତ ଜଗତକର୍ତା ଜଗତରନାଥ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଅନ୍ୟତମ ଆକର୍ଷଣ ହେଉଛି ମହାପ୍ରଭୁଙ୍କ ସୁନାବେଶ । ଶୃଙ୍ଗାର ପ୍ରିୟ ଠାକୁରଙ୍କ ଚବିଶ ବେଶ ମଧ୍ୟରେ ଶ୍ରୀମନ୍ଦିରରେ ବାଇଶିଟି ବେଶ ହୋଇଥାଏ । ମହାପ୍ରଭୁଙ୍କ ବେଶ ମଧ୍ୟରେ ସୁନାବେଶ ଅତ୍ୟନ୍ତ ଦୁର୍ଲଭ । ଶ୍ରୀମନ୍ଦିରରେ ବିଜୟାଦଶମୀ, କାର୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ମାଘ ପୂର୍ଣ୍ଣମାରେ ମଧ୍ୟ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଆଷାଢ ଶୁକ୍ଲ ଏକାଦଶୀ ଦିନ ଶ୍ରୀମନ୍ଦିର ସିଂହଦ୍ୱାରରେ ରଥାରୁଢ ଶ୍ରୀଜୀଉଙ୍କ ସୁନାବେଶ ଅତ୍ୟନ୍ତ ମହନୀୟ । ଏହି ଚିତାକର୍ଷକ ତଥା ନୈସର୍ଗିକ ବେଶକୁ ଅପଲକ ନୟନରେ ଅବଲୋକନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ, ଦର୍ଶନାର୍ଥୀ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ରୁଣ୍ଡ ହୋଇଛନ୍ତି ବଡଦାଣ୍ଡରେ । ମାର୍କେଟ ଛକ ଠାରୁ ବ୍ୟାରିକେଡ ଭିତରେ ଭକ୍ତ ମାନେ ଶୃଙ୍ଖଳିତ ଭାବେ ଯାଇ ରଥାରୁଢ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି ଫେରୁଛନ୍ତି । ପାଣି ସିଂଚନ ସହ ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଛି ସିଂହଦ୍ୱାର ଓ ବଡଦାଣ୍ଡ ।
ଆଜି ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିଲା । ପାଳିଆ ମେକାପ, ଖୁଂଟିଆ ସେବକ, ମାଜିଷ୍ଟ୍ରେଟ, ପୋଲିସ ଫୋର୍ସ, ମନ୍ଦିର ଗାରଦ ଓ କର୍ମଚାରୀଙ୍କ ସହାୟତାରେ ତିନିରଥ ଉପରକୁ ଭଣ୍ଡାର ଘରୁ ସୁନାବେଶ ପାଇଁ ସାମଗ୍ରୀ ଆଣିଥିଲେ । ପାଳିଆ ପୁଷ୍ପାଳକ, ଦଇତାପତି, ଖୁଂଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ସେବକ ମାନେ ଉପସ୍ଥିତ ରହି ଶ୍ରୀବିଗ୍ରହମାନଙ୍କ ସୁନାବେଶ କରିଥିଲେ । ଅଳଙ୍କାର ମଧ୍ୟରେ ବଡଠାକୁର ଶ୍ରୀବଳଭଦ୍ରଙ୍କ ଶ୍ରୀପୟର, ଶ୍ରୀଭୂଜ, କିରୀଟ, ଓଡିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡା ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ( ଆୟୁଧ) ହଳ ଓ ମୂଷଳ ବାହାଡା ମାଳି, ବାଘନଖ ମାଳି, ସେବତି ମାଳି, ତ୍ରିଖଣ୍ଡିକା କମରପଟି । ସେହିପରି ଦେବୀ ମା ସୁଭଦ୍ରା କିରୀଟ, ଓଡିଆଣି, ଚନ୍ଦ୍ର ସୂର୍ଯ୍ୟ, ଘାଗଡା ମାଳି, କଦମ୍ବ ମାଳି, ୨ ଟି ତଗଡି, ସେବତି ମାଳି ଆଦି ପରିଧାନ କରି ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଳଙ୍କାର ମଧ୍ୟରେ କିରୀଟ, ଶ୍ରୀଭୂଜ, ଶ୍ରୀପୟର, ଓଡିଆଣି, ଚନ୍ଦ୍ର ସୂର୍ଯ୍ଯ, ଆଡକାନି, ଘାଗଡା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି,( ଆୟୁଧ) ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ, ହରିଡା, କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି, ସେବତି ମାଳି, ତ୍ରିଖଣ୍ଡିକା କମରପଟି । ସୁନାବେଶ ଥାଇ ଠାକୁରମାନଙ୍କର ରାତ୍ରରେ ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହୋଇଥିଲା । ସିଂହଦ୍ୱାର ଠାରେ ଶ୍ରୀବିଗ୍ରହମାନଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ । ରାଜ୍ୟ ଓ ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶାନ୍ତ ଶୃଙ୍ଖଳା ସହ ଦର୍ଶନ, ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସନ୍ଧ୍ୟା ୬ଟା ରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଠାକୁରମାନଙ୍କର ସୁନାବେଶ ଭକ୍ତମାନଙ୍କୁ ଅପାର ଆନନ୍ଦ ଦେଇଥିବା ପରିଲକ୍ଷିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ