ପୁରୀ, ୬ ଜୁଲାଇ (ହି.ସ.)- ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ଶ୍ରୀଜୀଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ଝଲସିବେ ଚତୁର୍ଦ୍ଧାମୂର୍ତି । ଶ୍ରୀବିଗ୍ରହ ମାନଙ୍କୁ ହୀରାନୀଳା ଓ ମୋତି ମାଣିକ୍ୟ ଖଚିତ ୧୩୮ ପ୍ରକାରର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯିବ ।
ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ରଥ ଉପରେ ସନ୍ଧ୍ୟା ଆଳତି ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୫ଟାରେ ମହାପ୍ରଭୁଙ୍କ ସୁନାବେଶ କରାଯିବ । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ବାହାର କରାଯାଇ ଶ୍ରୀଜୀଉଙ୍କୁ ବେଶ କରାଯିବ । ରଥ ଚତୁଃପାଶ୍ୱର୍ରେ ପରିକ୍ରମା କରି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ । ଏଥିପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍ ସମେତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନେ ମାର୍କେଟ ଛକ ଠାରୁ ବ୍ୟାରିକେଟ ଦେଇ ସିଂହଦ୍ୱାରରେ ପହଂଚିବା ପରେ ତିନି ରଥରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରି ଫେରିବେ । ରାତି ୧୧ଟାରେ ଶ୍ରୀଜୀଉଙ୍କ ବେଶ ଓଲାଗି କରାଯିବ । ଶ୍ରଦ୍ଧାଳୁମାନେ ରାତିତମାମ ରଥାରୂଢ଼ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିପାରିବେ । ରଥାରୂଢ ଶ୍ରୀଜୀଉଙ୍କ ସିଂହଦ୍ୱାର ବଡ଼ଦାଣ୍ଡରେ ଏହି ଦୁର୍ଲ୍ଲଭ ସୁନାବେଶକୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଭିଡ଼କୁ ଦୃଷ୍ଟିରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସିସି କ୍ୟାମେରା ନଜରରେ ରହିଛି ରଥ ଚାରିପଟ ଓ ବଡ଼ଦାଣ୍ଡ ।
ପ୍ରକାଶ ଥାଉକି, ଗତକାଲି ରାତି ପ୍ରାୟ ୯ଟା ୩୦ ରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିଥିଲା । ଏହା ପୂର୍ବରୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ରାତି ୮ଟା ସୁଦ୍ଧା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚି ସାରିଥିଲା ।
ଆଜି ସକାଳୁ ରଥ ଉପରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ମଇଲମ, ତଡ଼ପଲାଗି, ଅବକାଶ ଓ ସକାଳ ବେଶ ଶେଷ ହୋଇଥିଲା । ଏହାପରେ ଗୋପାଳବଲ୍ଲଭ, ସକାଳଧୂପ ନୀତି ଶେଷ ହୋଇଛି । ମଧ୍ୟାହ୍ନରେ ମଇଲମ ଓ ପରେ ମହାସ୍ନାନ ଏବଂ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ସଂଧ୍ୟାଆଳତି ପରେ ଶ୍ରୀବିଗ୍ରହ ମାନଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉ ମାନେ ବର୍ଷକୁ ଚାରିଥର ସୁନାବେଶ ହେଉଥିବା ବେଳେ ରଥ ଉପରେ ଆଷାଢ ଶୁକ୍ଲ ଏକାଦଶୀରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ରତ୍ନସିଂହାସନରେ ଦଶହରା, କାର୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ ଓ ଦୋଳ ପୂର୍ଣ୍ଣମୀରେ ସୁନାବେଶ ହୋଇଥାଏ । ଏହି ବେଶ ଦର୍ଶନ କଲେ ଅନନ୍ତ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ