ନୂଆପଡ଼ା, ୬ ଜୁଲାଇ (ହି.ସ.)- ଶିକ୍ଷା ମଣିଷକୁ ଆଗେଇ.ନେବାରେ ସହଯୋଗ କରିଥାଏ । ତେଣୁ ସରକାର ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରାଥମିକ ଶିକ୍ଷା ପାଇବା ଶିଶୁର ଏକ ମୌଳିକ ଅଧିକାର। କିନ୍ତୁ, ପ୍ରଶାସନିକ ଉଦାସୀନତା ଯୋଗୁଁ ଶିଶୁ ମାନଙ୍କ ନିମନ୍ତେ ରହିଥିବା ବ୍ୟବସ୍ଥା ଭୁଷୁଡି ପଡିଛି । କାରଣ ଶ୍ରେଣୀ ଗୃହର ଅଭାବରେ ପିଲା ମାନେ ଠିକ ଭାବରେ ପଢି ପାରୁ ନାହାନ୍ତି । ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ଠିକ ଭାବରେ ଶିକ୍ଷା ପାଇପାରୁ ନାହାନ୍ତି।
ଖଡ଼ିଆଳ ବ୍ଲକ ରାନିମୁଣ୍ଡା ଗ୍ରାମପଞ୍ଚାୟତର ସମାଡ଼ପଦର ଗାଁ। ଜଙ୍ଗଲ ଭିତରେ ଥିବା ଏହି ଗାଁ ସ୍କୁଲରେ ପାଞ୍ଚଟି କୋଠରୀ ଥିବା ବେଳେ ଚାରିଟି କୋଠରୀର ଛାତ ଜରାଜୀର୍ଣ ହେବା ସହ ପାଣି ଝରୁଛି। ସେଥିପାଇଁ ବର୍ଷା ଦିନରେ ଗୋଟିଏ କୋଠରୀରେ ସବୁ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଅନ୍ୟ ଦିନ ଦୁଇଟି କୋଠରୀ ଓ ବାରଣ୍ଡାରେ ପାଠ ପଢ଼ାଯାଏ। ଏଥିରୁ ଅନୁମାନ କରାଯାଏ, ଏଠାରେ କେମିତି ଚାଲିଛି ଶିକ୍ଷାଦାନ। ଖାଲି ଶ୍ରେଣୀଗୃହ ନୁହଁ, ବିଦ୍ୟାଳୟରେ ପାଣି ସମସ୍ୟା ରହିଥିବା ବେଳେ ପାଚେରୀ ନଥିବାରୁ ଅସୁବିଧା ହେଉଛି। କାରଣ ସମାଡ଼ପଦର ଗାଁ ଏକ ଜଙ୍ଗଲ ଭିତରଗାଁ, ଏହି ଗାଁରେ ହିଂସ୍ରଜନ୍ତୁଙ୍କ ଭୟ ରହିଥାଏ । ଏକ ବର୍ଷ ତଳେ ଏକ ଦନ୍ତା ହାତୀ ଏହି ଜଙ୍ଗଲକୁ ଆସିଥିଲା । ପାଚେରୀ ନଥିବାରୁ ହିଂସ୍ରଜନ୍ତୁଙ୍କ ଭୟ ରହିଥିବା ଅଭିଯୋଗ ହେଉଛି। ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟ ସମସ୍ୟା ହେଲା ଗାଁ କୁ ରାସ୍ତା ନାହିଁ । ପାହାଡ଼ି ରାସ୍ତା ପାର ହୋଇ ଚାରି କିଲୋମିଟର ଓହ୍ଲାଇଲେ ଅନ୍ୟ ଗାଁ କୁ ଯାଇହୁଏ। ଏଣୁ ଅଷ୍ଟମ ପାସ ପରେ ଅନେକ ଶିଶୁ ଆଉ ପାଠ ପଢ଼ନ୍ତି ନାହିଁ । ଅତି କମରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭଲ ଶିକ୍ଷା ପ୍ରଦାନ କରିବା ଜରୁରୀ ହୋଇପଡିଛି। କିନ୍ତୁ, ସେତକ ମଧ୍ୟ ମିଳୁନାହିଁ। ଏନେଇ ପ୍ରଶାସନକୁ ଜଣାଇଲେ ମଧ୍ୟ ଶୁଣୁନଥିବା କହିଛନ୍ତି ଚେୟାରମ୍ୟାନ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ