କୋରାପୁଟ, ଜୁଲାଇ ୦୬ (ହି.ସ.)
କୋରାପୁଟରେ ବୃକ୍ଷରୋପଣ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
- ଏକବିଂଶ
ଶତାବ୍ଦୀରେ କୋରାପୁଟର ଗୌରବକୁ ଫେରାଇ ଆଣିବା ପାଇଁ ହେଲେ ଆମକୁ ପ୍ରଥମେ ଏହି ଅଞ୍ଚଳକୁ
ସବୁଜିମାରେ ପରିବର୍ତ୍ତନ କରାଇବା ପାଇଁ ପଡ଼ିବ । ଏଥିପାଇଁ ଅଧିକରୁ ଅଧିକ ଗଛ ଲଗାଇବା ସହ ମାଟି
ମା’ର ସୁରକ୍ଷା ପାଇଁ
ସଂକଳ୍ପ କରିବାକୁ ହେବ ବୋଲି ଆଜି ପବିତ୍ର ‘ସୁନାବେଶ’ ଅବସରରେ କୋରାପୁଟରେ “ଏକ୍ ପେଡ୍ ମା’ କେ ନାମ୍ ୨.୦” ଅଭିଯାନ ଓ ବନ
ମହୋତ୍ସବରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋରାପୁଟ ଓଏସଏପି ତୃତୀୟ ବାଟାଲିୟନ
ପରିସରରେ ଛାତ୍ରଛାତ୍ରୀ, ମାତୃଶକ୍ତି, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ଓ
ଅନ୍ୟ ସଦସ୍ୟମାନଙ୍କ ସହ ବୃକ୍ଷରୋପଣ କରିଥିଲେ । ସେ କହିଥିଲେ ଆଜି ହେଉଛି ମହାପ୍ରଭୁଙ୍କ
ସୁନାବେଶ । ଗଛ ପ୍ରତି ଓଡ଼ିଶା ଲୋକମାନଙ୍କର ବହୁତ ଆସକ୍ତି ଅଛି କାରଣ, ଆମର ମହାପ୍ରଭୁ
ଶ୍ରୀଜଗନ୍ନାଥ ହେଉଛନ୍ତି ଦାରୁବ୍ରହ୍ମ । ଲୋକମୁଖରେ ସେ ଦାରୁଦେବତା ରୂପେ ସୁପରିଚିତ । ସେ
ଆହୁରି କହିଛନ୍ତି ଯେ କୋରାପୁଟ ଜିଲ୍ଲା ସହ ମୋର ଦୀର୍ଘ ୩୦ରୁ ୩୫ ବର୍ଷର ସମ୍ପର୍କ । ଏଠାରେ
ବୁଲିବା ବେଳେ ମୋର ମନରେ ଆସେ,
ଖାଲି ପଡ଼ିଥିବା
ଜଙ୍ଗଲ ଜମିକୁ ଘଞ୍ଚ ଜଙ୍ଗଲରେ ପରିଣତ କରାଇବା ପାଇଁ ପଡ଼ିବ । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ
ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ
ପୂରଣ କରିବ । ମୋ ପାଇଁ ବିକଶିତ ଓଡ଼ିଶାର ଅର୍ଥ ହେଉଛି ବିକଶିତ କୋରାପୁଟ । କୋରାପୁଟକୁ ବିକଶିତ
କରିବା ପାଇଁ ହେଲେ ଏଠାରେ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ସହ ନାଗରିକଙ୍କୁ ମୌଳିକ
ସୁବିଧା ଦେବା, ସ୍ଥାନୀୟ ଚାଷ
ସାମଗ୍ରୀ ଓ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀକୁ ଆଗକୁ ନେବା ପାଇଁ ପଡିବ ।
ଶ୍ରୀ ପ୍ରଧାନ କୋରାପୁଟର ପ୍ରତ୍ୟେକ ନାଗରିକଙ୍କୁ ଅନୁରୋଧ କରି
କହିଛନ୍ତି ଯେ, ମାନ୍ୟବର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଆମେ ସମସ୍ତେ ଘର ଠାରୁ ଆରମ୍ଭ କରି ରାସ୍ତା
ପାର୍ଶ୍ୱ ସମେତ ବିଭିନ୍ନ ସ୍ଥାନରେ ଗଛ ଲଗାଇବା । ଗଛଟିର ଯତ୍ନ ନେବା ସହ ମାଟି ମା’ର ସୁରକ୍ଷା ପାଇଁ
ସଂକଳ୍ପନା କରିବା । ବିକଶିତ କୋରାପୁଟ, ବିକଶିତ ଓଡ଼ିଶା ପାଇଁ ବ୍ୟକ୍ତିଗତ ସ୍ତରରେ ନିଜର ଯୋଗଦାନ ରଖିବା ।
କୋରାପୁଟରେ ବୃକ୍ଷରୋପଣ ଅଭିଯାନକୁ ଜନଆନ୍ଦୋଳନର ରୂପ ଦେବା ସହ କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ’ରେ ପରିଣତ କରିବା
ପାଇଁ ସାମୂହିକ ଦାୟିତ୍ୱ ନେବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଏହି ଅବସରରେ ଶ୍ରୀ
ପ୍ରଧାନ ଏକ ସବୁଜ ରଥର ଶୁଭାରମ୍ଭ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା