ଜୟପୁର, ଜୁଲାଇ ୦୬ (ହି.ସ.)
ଛାତ୍ରଛାତ୍ରୀମାନଙ୍କୁ
ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ କୁଶଳୀ କରିବ - ଧର୍ମେନ୍ଦ୍ର ପ୍ରଧାନ
– କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କେନ୍ଦ୍ରୀୟ
ବିଦ୍ୟାଳୟ,
ଜୟପୁରର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ଜଗନ୍ନାଥ ସଦର ନିକଟରେ
ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଛନ୍ତି । ଏହି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାନୀୟ ଅଞ୍ଚଳର
ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ କୁଶଳୀ କରିବ । ଛାତ୍ରଛାତ୍ରୀଙ୍କ
ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଜୟପୁର ସ୍ଥିତ ବିକ୍ରମଦେବ
ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିକ ସାଧାରଣ ସଭାକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ
ଓଡ଼ିଶାର ଅନ୍ୟତମ ସାଂସ୍କୃତିକ, ବ୍ୟବସାୟିକ ଓ ବୌଦ୍ଧିକ କେନ୍ଦ୍ର ହେଉଛି ଜୟପୁର । ଜୟପୁର ମହାରାଜା ଶ୍ରୀ ବିକ୍ରମ ଦେବ
ବର୍ମା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଦେଶ ସ୍ୱାଧୀନତାରେ ଅନେକ ଅବଦାନ ରହିଛି । ଏଭଳି
ସହରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା ।
ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ଏଠାରେ ବହୁ ଆକାଂକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ
। ଚଳିତ ଶିକ୍ଷା ବର୍ଷ ଠାରୁ ଏହାର ଅସ୍ଥାୟୀ କ୍ୟାମ୍ପସରେ ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ
ପର୍ଯ୍ୟନ୍ତ ପିଲାମାନେ ପାଠ ପଢିବେ । ଏଥିପାଇଁ ନାମଲେଖା ଶେଷ ହୋଇଛି । ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଏହି ପଦକ୍ଷେପ
ସ୍ଥାନୀୟ ଅଞ୍ଚଳର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ
ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ବେଶ୍ ସହାୟକ ହେବ । ଆମର ପିଲାମାନଙ୍କ ମଧ୍ୟରେ ଚାକିରି
ନକରି ଚାକିରି ଦେବାର ମାନସିକତା ତିଆରି କରାଇବା ଦରକାର
।
ସେ ଆହୁରି କହିଛନ୍ତି ଯେ
ଗତକାଲି କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୬୧୦ କୋଟି ଟଙ୍କାରୁ ଅଧିକ
ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରାୟ
୯୦ଟି ସ୍କୁଲ ପିଏମ ଶ୍ରୀ ସ୍କୁଲ ବିକଶିତ ହେଉଛି । ଏଥିପାଇଁ ପାଖାପାଖି ୨୦୦ କୋଟି ଟଙ୍କା ଆସିଛି
। ବିକ୍ରମଦେବ ବିଶ୍ଵବିଦ୍ୟାଳୟ ପାଇଁ ପିଏମ ଉଷା ଯୋଜନାରେ କେନ୍ଦ୍ର ସରକାର ୨୦ କୋଟି ଟଙ୍କା
ଦେଇଛନ୍ତି । ଓଡ଼ିଶା ସରକାରଙ୍କ ତରଫରୁ ମଧ୍ୟ ଏହି ବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କାର ଆର୍ଥିକ
ବ୍ୟବସ୍ଥା ହୋଇଛି । କୋରାପୁଟର ନବନିର୍ମାଣରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରୟୋଗଶାଳା
ହେବ । ଆଗାମୀ ଦିନରେ କୋରାପୁଟ ସମେତ ଅବିଭକ୍ତ ସମସ୍ତ ଜିଲ୍ଲାରେ ଡିଗ୍ରୀ ଓ ଅନ୍ୟାନ୍ୟ ଅନୁଷ୍ଠାନରେ
ଗୁଣାତ୍ମକ ଶିକ୍ଷା ବୃଦ୍ଧି କରାଯିବ । ଅପାର ସମ୍ଭାବନାର ଅଞ୍ଚଳ ହେଉଛି କୋରାପୁଟ । ଏଠାରେ ଅନେକ
ସମ୍ଭାବନା ଅଛି । ଅଭିବକ୍ତ କୋରାପୁଟ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର କଳ୍ପନା
ହୋଇପାରିବ ନାହିଁ । ବିକଶିତ ଓଡ଼ିଶା ନହେଲେ ବିକଶିତ ଭାରତର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭାରତ ସରକାର ଭାରତମାଳା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ।
ରାୟଗଡ଼ାରେ ରେଳ ଡିଭିଜନ ହୋଇଛି । ନବରଙ୍ଗପୁର ଓ ମାଲକାଲଗିରିରେ ରେଳ ଲାଇନ ଜମିଅଧିଗ୍ରହଣର କାମ
ତ୍ୱରାନ୍ୱିତ ହୋଇଛି । କୋରାପୁଟ ସମେତ ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା କ୍ଷେତ୍ର ସମେତ
ସର୍ବାଙ୍ଗିନ ବିକାଶ, ଆର୍ଥିକ କ୍ଷେତ୍ରକୁ ମଜଭୂତ୍ କରିବା ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ପ୍ରୟାସ କରୁଛନ୍ତି
ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି । ଏହି
ଅବସରରେ ଶ୍ରୀ ପ୍ରଧାନ ଜୟପୁର ମହାରାଜା ଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତିରେ
ଶ୍ରଦ୍ଧାଞ୍ଜଳି ଅର୍ପଣ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା