ଧର୍ମଶାଳା, ୬ ଜୁଲାଇ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କୁମାରୀ ପଂଚାୟତ ଅନ୍ତର୍ଗତ ୧୪ ନଂ ୱାର୍ଡକୁ ସଂଯୋଗ କରୁଥିବା ରାସ୍ତାରେ ମାଟି ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଛି । ସୂଚନା ମୁତାବକ, ପଣ୍ଡୁଆ ଗ୍ରାମର ୧୪ ନଂ ୱାର୍ଡକୁ ସଂଯୋଗ କରୁଥିବା କଂକ୍ରିଟ ରାସ୍ତା କିଛି ଅଂଶ ଦୀର୍ଘ ଦିନ ହେଲା ଭାଙ୍ଗି ଯାଇଛି । ଫଳରେ ବର୍ଷା ଦିନରେ ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହୁଥିବାରୁ ଯାତାୟତ ସୁବିଧା ପାଇଁ ସ୍ଥାନୀୟ ୱାର୍ଡର ମୁଷ୍ଟିମେୟ ବ୍ୟକ୍ତି ବେଆଇନ ଭାବେ ସେଠାରେ ମାଟି ଆଣି ପକାଇ ଦେବା ଫଳରେ ଉକ୍ତ ରାସ୍ତାରେ ଯିବା ଆସିବା କରିବା ଅସମ୍ଭବ ହୋଇପଡିଛି । ରାସ୍ତାରେ ମାଟି ପଡିବା ଫଳରେ ରାସ୍ତାଟି କାଦୁଅ ପଚପଚ ହେବା ସହ ବର୍ଷା ଜଳ ନିଷ୍କାସିତ ନ ହୋଇ ରାସ୍ତା ଉପରେ ଜମି ରହୁଛି । ଫଳରେ ପୂର୍ବପେକ୍ଷା ଏହି ରାସ୍ତାଦେଇ ଯାତାୟତ କରିବା ଅସମ୍ଭବ ହୋଇପଡିଛି । ଅନ୍ୟ ଉପାୟ ନଥିବାରୁ ଲୋକେ ଏହି ରାସ୍ତା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଅନେକ ସମୟରେ ଲୋକେ ରାସ୍ତାରେ ଖସି ପଡି କ୍ଷତବିକ୍ଷତ ହେବା ସହ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି । ଏନେଇ ୱାର୍ଡବାସୀ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ହେଁ କିଛି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି । ତେବେ ରାସ୍ତାରେ ବେଆଇନ ଭାବେ ପଡିଥିବା ମାଟିକୁ ହଟାଯାଇ ପୁନର୍ବାର ଏହି ରାସ୍ତାକୁ କଂକ୍ରିଟ ଦ୍ୱାରା ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ