ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
ପଟ୍ଟାମୁଣ୍ଡାଇ, ୧ ଅଗଷ୍ଟ (ହି.ସ.)- ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଶୁକ୍ରବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲିଛି । କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ଜାତୀୟ ଉଦ୍ୟାନ ବନ୍ଦ ଥିଲା । ଭିତରକନିକାର ବଉଳା କୁମ୍ଭୀର ପର୍ପ୍ୟଟକଙ୍କ ପାଇଁ ଆକର୍ଷଣର କେନ
ଭିତରକନିକା ଜାତୀୟ ଉଦ୍ୟାନ


ପଟ୍ଟାମୁଣ୍ଡାଇ, ୧ ଅଗଷ୍ଟ (ହି.ସ.)- ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଶୁକ୍ରବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲିଛି । କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ଜାତୀୟ ଉଦ୍ୟାନ ବନ୍ଦ ଥିଲା ।

ଭିତରକନିକାର ବଉଳା କୁମ୍ଭୀର ପର୍ପ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଏହି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ସମୟ ପାଇଁ ଗତ ମଇ ୧ରୁ ଜୁଲାଇ ୩୧ ତାରିଖ ଯାଏଁ ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା । ଏହି ପ୍ରକ୍ରିୟା ସରିବା ପରେ ପର୍ପ୍ୟଟକଙ୍କ ପାଇଁ ଆଜି ଠାରୁ ପୁଣି ଥରେ ଖୋଲାଯାଇଛି ଜାତୀୟ ଉଦ୍ୟାନ । ଭିତରକନିକାରେ ପର୍ଯ୍ୟଟକଙ୍କ ଭ୍ରମଣ ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ନେଇ ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ପର୍ଯ୍ୟଟକମାନେ ଭିତରକନିକାରେ ଲୁଣା ଜାତୀୟ ଗଛଗୁଡ଼ିକର ଚାରାକୁ ମ୍ୟାନ୍ ଗ୍ରୁଭ୍ ନର୍ସରୀରେ ଦେଖିବାର ସୁଯୋଗ ପାଇଛନ୍ତି । ଏଥିସହ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ, ପରିବେଶ ସହ ଅନ୍ୟ ବହି ପଢ଼ିବାର ସୁଯୋଗ ପାଇଛନ୍ତି । ଏହାଛଡ଼ା ମ୍ୟୁଜିୟମ୍ ବୁଲି ଦେଖିବାର ମଜା ନେଉଛନ୍ତି । ମେଟା ନର୍ସରୀ ନିକଟରୁ ୬୦୦ ମିଟର ପର୍ଯ୍ୟନ୍ତ କାଠରେ ସ୍କାଏ ୱାକ୍ ନିର୍ମାଣ ହୋଇଛି । ସ୍କାଏ ୱାକ୍ ରେ ଜଙ୍ଗଲ ଉପରେ ଚାଲିଚାଲି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନେ ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହିତ ଧଳା କୁମ୍ଭୀର ଗୋରୀ, ମଲ୍ଲୀ, ଶ୍ୱେତା, ଦେଶୀୟ ପକ୍ଷୀ ମାନଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି । ନଦୀରେ ନୈାବିହାରର ମଜା ନେଉଛନ୍ତି । ନୈାବିହାର ନିମନ୍ତେ ଭିତରକନିକାର ଡାଙ୍ଗମାଳ ଠାରେ ୬ଟି ଫାଇବର ବୋଟ୍ ଥିବା ବେଳେ ଗୁପ୍ତି ଠାରେ ୪ଟି ଫାଇବର ବୋଟ୍ ବ୍ୟବସ୍ଥା ରହିଛି । ବିଗତ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଗୁପ୍ତି ଓ ଡାଙ୍ଗମାଳରୁ ପର୍ଯ୍ୟଟକମାନେ ନୌବିହାର କରିପାରିବା ସହ ଡାଙ୍ଗମାଳରେ ରହିଥିବା କଟେଜଗୁଡିକରେ ରାତ୍ରିଯାପନ କରିପାରିବେ । ପୂର୍ବବର୍ଷ ଭଳି ପଲିଥିନ୍ କୁ ବାରଣ କରାଯିବା ସହ ଏହା ନଆଣିବା ପାଇଁ ବନଖଣ୍ଡ ପକ୍ଷରୁ ପର୍ଯ୍ୟଟକ ମାନଙ୍କୁ ପରାମର୍ଶ ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande