ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର: ବିଜେଡି
Bhubaneswar, 1 ଅଗଷ୍ଟ (ହି.ସ.) -୧୩ ମାସରେ ୧୩ଟି ପରୀକ୍ଷା ପରିଚାଳନାରେ ବିଭ୍ରାଟ ଓ ପ୍ରଶ୍ନପତ୍ର ଲିକ୍ -ଗଣଶିକ୍ଷା ମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ -ଛାତ୍ରଛାତ୍ରୀ ହତୋତ୍ସାହିତ, ସରକାର ନିଦାବିଷ୍ଣୁ ରାଜ୍ୟ ସରକାରଙ୍କ ଅପରାଗତା ଲାଗି ଗତ ଏକ ବର୍ଷ ମଧ୍ୟରେ ୧୩ଟି ପରୀକ୍ଷାରେ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ରାଜ୍ୟ ସରକାର: ବିଜେଡି


Bhubaneswar, 1 ଅଗଷ୍ଟ (ହି.ସ.)

-୧୩ ମାସରେ ୧୩ଟି ପରୀକ୍ଷା ପରିଚାଳନାରେ ବିଭ୍ରାଟ ଓ ପ୍ରଶ୍ନପତ୍ର ଲିକ୍

-ଗଣଶିକ୍ଷା ମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ

-ଛାତ୍ରଛାତ୍ରୀ ହତୋତ୍ସାହିତ, ସରକାର ନିଦାବିଷ୍ଣୁ

ରାଜ୍ୟ ସରକାରଙ୍କ ଅପରାଗତା ଲାଗି ଗତ ଏକ ବର୍ଷ ମଧ୍ୟରେ ୧୩ଟି ପରୀକ୍ଷାରେ ପରିଚାଳନାଗତ ତ୍ରୁଟି ଓ ପ୍ରଶ୍ନପତ୍ର ପ୍ରଘଟ ଲାଗି ଛାତ୍ର ସମାଜ ହତୋତ୍ସାହିତ ହୋଇଥିଲା ବେଳେ ସରକାର ନିଦାବିଷ୍ଣୁ ପାଲଟିଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।

ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଲା ପରେ ଓପିଏସ୍ସି, ଓଏସ୍ଏସ୍ସି ଓ ଓଏସ୍ଏସ୍ଏସ୍ସି ଦ୍ୱାରା ପରିଚାଳିତ କୌଣସି ପରୀକ୍ଷା ସୂଚାରୁ ଢଙ୍ଗରେ ପରିଚାଳନା କରିପାରିନାହାନ୍ତି । ଆରଆଇ, ଅମିନ, ଆଇସିଡିଏସ୍ ସୁପରଭାଇଜର୍, ଏକ୍ସସାଇଜ୍ ଓ ପୋଲିସ ସବଇନ୍ସପେକ୍ଟର, ଓଡିଶା ସିଭିଲ୍ ସର୍ଭିସ୍, ଏସ୍ଡିଆଇପିଆରଓ ଏବଂ ପରିଶେଷରେ ଓଟିଇଟି ଭଳି ସମସ୍ତ ପରୀକ୍ଷାରେ ଦେଖାଦେଇଥିବା ବିଭ୍ରାଟକୁ ରୋକିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଧର୍ମକୁ ଆଖିଠାର ସଦୃଶ୍ୟ ୧ କୋଟି ଟଙ୍କାର ଫାଇନ ଓ ୧୦ ବର୍ଷର ଜେଲ ଦଣ୍ଡର ଆଇନ ପ୍ରଣୟନ କଲେ ମଧ୍ୟ ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ ।

ଡ. ମହାନ୍ତି ଆହୁରି ମଧ୍ୟ କହିଥିଲେ ଯେ, ଆରଆଇ, ଅମିନ ପରୀକ୍ଷା ବିଭ୍ରାଟରେ ବିଜେପି ନେତାଙ୍କ ସଂପୃକ୍ତି ଥିବାର ଅଭିଯୋଗ ଆସିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । ଚଳିତ ଫେବ୍ରୁଆରୀ ମାସରେ ମାନ୍ୟବର ହାଇକୋର୍ଟ ଓଡିଶା ଜୁଡିସିିଆଲ ସର୍ଭିସ ପରୀକ୍ଷାର ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ କାରଣରୁ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ଦେବାକୁ ଓପିଏସ୍ସିକୁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନାହିଁ । ନିଯୁକ୍ତି ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରିବା କ୍ଷେତ୍ରରେ ପକ୍ଷପାତିତା ପ୍ରଦର୍ଶନ କରି ସରକାର ଯଦି ସେମାନଙ୍କ ଭବିଷ୍ୟତ ସହ ଖେଳିବେ, ତାହା ହେଲେ ସଂପୂର୍ଣ୍ଣ ଶିକ୍ଷାବ୍ୟବସ୍ଥା ଭୁଶୁଡି ପଡିବ । ବାରମ୍ବାର ପରୀକ୍ଷା ବାତିଲ ହେବା ଯୋଗୁ ଛାତ୍ରଛାତ୍ରୀମାନଙ୍କ ଶାରୀରିକ, ମାନସିକ ଯନ୍ତ୍ରଣା ଓ ସମୟର ଅପଚୟକୁ ଦୃଷ୍ଟିରେ ରଖି କ୍ଷତିପୂରଣ ସହାୟତା ରାଶି ରାଜ୍ୟ ସରକାର ପ୍ରଦାନ କରନ୍ତୁ । ଓଟିଇଟି ପରୀକ୍ଷା ବିଭ୍ରାଟରେ ବୋର୍ଡ ସଭାପତି, ଉପସଭାପତି ଓ ବିଦ୍ୟାଳୟ ଏବଂ ଗଣଶିକ୍ଷାମନ୍ତ୍ରୀ ସମ ପରିମାଣରେ ଦାୟୀ ହୋଇଥିବା ବେଳେ ରାଜ୍ୟ ସରକାର କେବଳ ଡାଟାଏଣ୍ଟି ଅପରେଟର ଓ ଅଧସ୍ତନ କର୍ମଚାରୀଙ୍କୁ ଗିରଫ କରି ବାହାଦୁରୀ ନେବାକୁ ଚେଷ୍ଟା କରୁଛନ୍ତି । ଛାତ୍ର ସମାଜର ଉଦ୍ବେଗ ସରକାର ଯଦି ହୃଦବୋଧ କରୁଥିବେ, ବୋର୍ଡ ସଭାପତି ଏବଂ ଉପସଭାପତିଙ୍କ ବିରୋଧରେ ଦୃଷ୍ଟାନ୍ତମୂକଳ କାର୍ଯ୍ୟାନୁଷ୍ଠାନ ନେବା ସହ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବିଜେଡି ଦାବି କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande