ଚମ୍ପୁଆ,, 1 ଅଗଷ୍ଟ (ହି.ସ.) ଚମ୍ପୁଆ ଥାନା ଅନ୍ତର୍ଗତ ବୀର ଧନୁର୍ଜୟ ନାରାୟଣପୁର ଶାସନରେ ଦିନ ଦ୍ୱିପ୍ରହରରେ ଘର ଭିତରେ ପଶି ସୁନା ଗହଣା ଚୋରୀ କରିଥିବା ଛଅ ଜଣ ଚୋରଙ୍କୁ ଧରିବାରେ ସଫଳ ହୋଇଛି ଚମ୍ପୁଆ ପୁଲିସ୍ । ଏ ନେଇ ଆଜି ଚମ୍ପୁଆ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଚମ୍ପୁଆ ଏସଡିପିଓ ରଶ୍ମିରଞ୍ଜନ ସାହୁ ଓ ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ୩୦ ତାରିଖ ବୁଧବାର ଦିନ ଚମ୍ପୁଆ ଏନଏସି ଅନ୍ତର୍ଗତ ବୀର ଧନୁର୍ଜୟ ନାରାୟଣପୁର ଶାସନରେ ଦିନ ପ୍ରାୟ ଦୁଇ ଘଟିକା ସମୟରେ ଭୋଳାନାଥ ମିଶ୍ରଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଘର ଭିତରେ ଦୁଇ ଜଣ ମହିଳା ପଶି ଆଲମାରୀ ଭିତରୁ ସୁନାଗହଣା ଚୋରୀ କରି ଫେରାର ହୋଇ ଯାଇଥିଲେ । ଏ ନେଇ ଭୋଳାନାଥ ଚମ୍ପୁଆ ଥାନାରେ ଅଭିଯୋଗ କରିବା ପରେ ଚମ୍ପୁଆ ପୋଲିସ୍ ଥାନା କେସ ନଂ ୨୨୧/୨୫ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଚୋର ମାନେ ଦିନ ଦିପ୍ରହରରେ ଘର ଭିତରୁ ଚୋରୀ କରି ଚମ୍ପୁଆ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ତେବେ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପୁଆ ପୁଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତକାରୀ ଅଧିକାରୀ ବ୍ରଜରାଜ ସାହୁଙ୍କ ନେତୃତ୍ୱରେ ଚମ୍ପୁଆ ନିକଟସ୍ଥ ଝୁମ୍ପୁରା, ବାରିଆ, ଉଖୁଣ୍ଡା, ତୁରୁମୁଙ୍ଗା ଆଦି ସ୍ଥାନ ମାନଙ୍କରେ ଖୋଜାଖୋଜି କରି ଚୋରୀରେ ସମ୍ପୃକ୍ତ ଛଅ ଜଣ ଚୋର (ଚାରି ଜଣ ପୁରୁଷ, ଦୁଇ ଜଣ ମହିଳା) ଙ୍କୁ ଗିରଫ କରିଥିଲେ । ସେମାନଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ସେମାନଙ୍କ ଠାରୁ ସୂଚନା ପାଇ ଚମ୍ପୁଆ ପୁଲିସ ଚୋରୀ ହୋଇଥିବା ସୁନାଗହଣାକୁ ସେମାନେ ରହୁଥିବା ସ୍ଥାନ ତୁରୁମୁଙ୍ଗା ହାଟ ନିକଟରେ ଥିବା ଏକ ବୁଦା ମୂଳରୁ ଜବତ କରିଥିଲା । ସେମାନଙ୍କ ନିକଟରୁ ଚାରି ଯୋଡା ସୁନା ଚୁଡି, ପାଞ୍ଚ ଯୋଡା ସୁନା କାନଫୁଲ, ଛଅ ଟି ସୁନା ମୁଦି, ଗୋଟିଏ ସୁନା ଚେନ୍, ଗୋଟିଏ କାନ ଚନ୍ଦ୍ର ଚେନ, ଗୋଟିଏ ସୁନା ଲକେଟ୍, ଚାରୋଟି ସୁନା ନାକ କଳିକା, ତିନୋଟି ସୁନା ନାକ ଫୁଲ ସମେତ ଦୁଇଟି ରୂପା ଚେନ ଓ ପାଞ୍ଚ ଯୋଡା ରୂପା ପାଉଁଜି ଜବତ କରିବା ସହ ଚୋରୀରେ ବ୍ୟବହୃତ ତିନୋଟି ମୋଟର ସାଇକେଲ ଜବତ କରିଛି। ଗିରଫ ମାନେ ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଦଶଘରିଆ ଗ୍ରାମର ଭାନି ଶବର(୩୫), ଭାସ୍କର ଶବର(୪୫), ଅନିଲ ଶବର(୨୮), ଝାଡଖଣ୍ଡ ରାଞ୍ଚି ଜିଲ୍ଲା ରାମଗଡର ଶଙ୍କର ଶବର(୩୫), ମୟୁରଭଞ୍ଜ ବାରିପଦା ଟାଉନ ଥାନାଅଞ୍ଚଳର ରୋହିତ ଶବରର ସ୍ତ୍ରୀ ସୀମା ଶବର(୩୦), ବିହାର ଗୟା ଜିଲ୍ଲା ମୁଫସିଲ୍ ଥାନା ସାଦିପୁରର ଭୁଟା ଶବରର ସ୍ତ୍ରୀ ଚାଲମା ଶବର ଓରଫ ଚାଲମା ମୋଦି । ସେମାନେ ଯାଯାବର ଭାବେ ଜୀବନଯାପନ କରୁଥିବା ବେଳେ ପୂର୍ବରୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ନେଇ ପୋଲିସ ତଦନ୍ତରୁ ଜାଣିବାକୁ ପାଇବା ପରେ ଏ ନେଇ ତଦନ୍ତକୁ ବ୍ୟାପକ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta