ସମ୍ବଲପୁର, ୦୧ ଅଗଷ୍ଟ (ହି.ସ.)
ସମ୍ଵଲପୁର ସହରରେ ଗତ ସପ୍ତାହ ପୂର୍ବେ ଘଟିଥିବା ଏକ ସୁନା ଚୋରି ଘଟଣାକୁ ପର୍ଦ୍ଦାଫାସ୍ କରିଛି ପୋଲିସ୍ । ୧୫୧ ଗ୍ରାମ ସୁନା ସହ ନଗଦରାଶି ୭ ଲକ୍ଷ ୯୭ ହଜାର ଟଙ୍କା ଏବଂ ରୁପା ଜବତ କରିଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡ୍ ସହ ୨ ଜଣଙ୍କୁ ଗିରଫ କରିଛି ସମ୍ଵଲପୁର ପୋଲିସ। ଜବତ ହୋଇଥିବା ସୁନା ଓ ରୁପାର ମୋଟ ଆନୁମାନିକ ମୂଲ୍ୟ ୨୧ ଲକ୍ଷ ୭୬ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଘଟଣାର ମାଷ୍ଟରମାଇଣ୍ଡ୍ ଏଚବ୍ଲୁ କଲୋନୀର ସଞ୍ଜୟ ପ୍ରଧାନ, ଆଇଟିଆଇ ଗୁଜାଟାଲର ଶିବ ଶଙ୍କର ଜେନା ଏବଂ ସବଷ୍ଟେସନର କଲୋନୀର ପ୍ରଶାନ୍ତ କୁମାର ବାରିକ । ସମସ୍ତେ ହୀରାକୁଦ ଅଞ୍ଚଳର । ସୂଚନାନୁଯାୟୀ, ଅଗଷ୍ଟ ୨୪ ତାରିଖରେ ସମ୍ବଲପୁର ଜିଲ୍ଲା ଏସଡିଓ କଲୋନୀର ରାଜେନ୍ଦ୍ର କୁମାର ସ୍ଵାଇଁଙ୍କ ଘରୁ ସମ୍ପୃକ୍ତ ଡକାୟତମାନେ କଳାକନା ବୁଲାଇଥିଲେ। ଘରର ସଦସ୍ୟ ମାନେ ଶୋଇଥିବା ବେଳେ ଭୋର୍ ୫ଟା ସମୟରେ ଘରର ତାଲା ଭାଙ୍ଗି ଚୋରି କରିଥିଲେ। ଏନେଇ ରାଜେନ୍ଦ୍ର ହୀରାକୁଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୁନାଗହଣା ଏବଂ ଲକ୍ଷାଧିକ ଟଙ୍କା ଚୋରି କରି ଦୁର୍ବୃତ୍ତମାନେ ସପ୍ତାହେ ଧରି ପୁଲିସକୁ ଚକ୍ମା ଦେଇଥିଲେ। ଚୋରି କଲା ପରେ ସେମାନେ ତାମିଲନାଡୁର କୋଏମ୍ବଟୁର ସହରକୁ ପଳାଇଥିଲେ। ସେଠାରେ ପ୍ରଶାନ୍ତକୁ ସମସ୍ତ ଜିନିଷ ଦେଇଥିଲେ ଓ ମାସେ ପରେ ଆସି ନେବେ ବୋଲି କହିଥିଲେ। ଡକାୟତ ଦଳଙ୍କୁ ଧରିବାକୁ ପୁଲିସ ଅଭିଯାନ ଚଳାଇ ଶେଷରେ ସଫଳ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସମ୍ବଲପୁର ଏସପି ମୁକେଶ ଭାମୂ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ