ସୁବର୍ଣ୍ଣପୁର, ୧ ଅଗଷ୍ଟ (ହି.ସ.)- ବିନିକା ବ୍ଳକ ମହାଦେବ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଷା ଓ କେନାଲ ପାଣି ପଶି ସ୍କୁଲ ପରିସରରେ ଆଣ୍ଠୁଏ ପାଣି ଜମା ହୋଇଥିଲା l ସାମାନ୍ୟ ବର୍ଷା ହେଲେ ପୂର୍ବରୁ ବିଦ୍ୟାଳୟରେ ଏଭଳି ପାଣି ଜମି ରହୁଥିବାରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଶୁଣୁ ନଥିବାରୁ ପୁଣି ସ୍କୁଲ୍ ରେ ପାଣିରେ ସାପ ଦେଖି ଭୟରେ ଛାତ୍ର ଛାତ୍ରୀ ପ୍ରତିକ୍ରିୟାଶିଳ ହେବା ସହ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା l ରାଜରାସ୍ତାକୁ ଆସି ବିନିକା - ସୋନପୁର ମୁଖ୍ୟ ରାସ୍ତାକୁ ବାଧ୍ୟ ହୋଇ ଛାତ୍ରଛାତ୍ରୀ ଅଭିଭାବକ ଗତକାଲି ଅବରୋଧ କରିଥିଲେ । ରାସ୍ତାରୋକ ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ. ନୃପରାଜ ସାହୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇ ସ୍ଥିତି ସ୍ବାଭାବିକ ହୋଇଥିଲା ।
ସୂଚନାଯୋଗ୍ୟ, ୧୯୫୮ ମସିହାରେ ସ୍ଥାପିତ ମହାଦେବପାଲି ବିଦ୍ୟାଳୟ ପ୍ରାଥମିକ ଉଚ୍ଚ ପ୍ରାଥମିକରେ ପରିବର୍ଦ୍ଧିତ ହୋଇ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଏବଂ ବାଳ ବାଟିକା ମିଶାଇ ୯ଟି ଶ୍ରେଣୀର ୧୧୦ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଜଣ ସ୍ଥାୟୀ ଶିକ୍ଷକ ଓ ଜଣେ ଡେପୁଟେସନ ଶିକ୍ଷକ ନିଯୁକ୍ତ ହୋଇଛନ୍ତି l ଏଠାରେ ରହିଛି କେବଳ ଦୁଇଟି ଛାତ ଘର । ବର୍ତ୍ତମାନ ମଧ୍ୟ ୧୯୫୮ ମସିହାର ମାଟିକାନ୍ଥ ଆଜବେଷ୍ଟସ ଛାଉଣି ଫଟା ଚଟାଣ ସହ କାନ୍ଥରେ ଫାଟ ଅଛି l ଅନେକ ସମୟରେ ବିଷଧର ସାପ ବାହାରିବା ଭଳି ବିପଦସଂକୁଳ କୋଠରୀରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଉକ୍ତ ବିଦ୍ୟାଳୟ ପରିସରରେ ରହିଛି ଅଙ୍ଗନବାଡି କେନ୍ଦ୍ର ଯେଉଁଠି ୧୦ ଜଣ କୋମଳମତି ଶିଶୁ ଅଛନ୍ତି । ଅଙ୍ଗନବାଡି କେନ୍ଦ୍ରର ଛାତରୁ ସିମେଣ୍ଟ ଅତଡା ଖସି ଛଡ ବାହାରି ଗଲାଣି, ବର୍ଷା ହେଲେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼େ । ଯାହାକି ଅନେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଓ ଉଦାସୀନତା ଯୋଗୁଁ ଆଜି ଛୋଟ ଛୋଟ ପିଲା ମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେଲେ l ବିନିକା ବ୍ଲକର ସମସ୍ତ ଅଧିକାରୀଙ୍କୁ ସ୍ପଟ୍ କୁ ଡ଼କାଇ ସମାଧାନ ପରେ ଗତକାଲି ଦିନକ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଛୁଟି କରାଯାଇଥିଲା ଏବଂ ରଘୁନାଥ ଯୁବକ ସଂଘର ସଦସ୍ୟଙ୍କ ପ୍ରସ୍ତାବ ଗ୍ରହଣ କରି ଯୁବକ ସଂଘ ସଭା ଗୃହରେ ଶିକ୍ଷାଦାନ କରିବାକୁ ଶିକ୍ଷକମାନଙ୍କୁ ନିର୍ଦେଶ କରିଥିଲେ ଜିଲ୍ଲାପାଳ l ପରେ ଛାତ୍ରଛାତ୍ରୀ ଅଭିଭାବକ ଜିଲ୍ଲାପାଳଙ୍କ ସହିତ ଖୁସିରେ ଫଟୋ ଉଠାଇ ବିଦ୍ଯା ଅଧ୍ଯୟନ ନେଇ ଉତ୍ସାହିତ ହୋଇଥିଲେ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ବିନିକା ଥାନା ଓ ମହାଦେବପାଲି ଫାଣ୍ଡି ର ପୁଲିସ ଷ୍ଟାଫ ମୁତୟନ କରାଯାଇଥିଲା l ଜିଲ୍ଲାପାଳଙ୍କ ଏ ତ୍ଵରିତ ପଦକ୍ଷେପ ପାଇଁ ଏ ଅଞ୍ଚଳ ତଥା ଜିଲ୍ଲାର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l ଓ ବାଟେ ଘାଟେ ସବୁଠି ଚର୍ଚ୍ଚା ଯେ ଜିଲ୍ଲାପାଳ ହେବ ତ ଏମିତି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ