ସମ୍ବଲପୁର, ୧ ଅଗଷ୍ଟ (ହି.ସ.)- କେବଳ ଆଞ୍ଚଳିକ ବ୍ଯକ୍ତି ବିଶେଷ ନୁହେଁ, ନିଜର ଭାଷା ତଥା ସମ୍ବଲପୁରୀ ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିବା ସହ ସମାଜରେ ଏହାକୁ ବ୍ୟାପକ କରିବା ଦିଗରେ ଗୁରୁ ସତ୍ୟନାରାୟଣ ବହିଦାର ସମଗ୍ର ପଶ୍ଚିମ ଓଡିଶାର ଘରେ ଘରେ ପରିଚିତ । ପ୍ରତ୍ୟେକ ସମ୍ବଲପୁରୀଆ ନିଜର ଭାଷାକୁ ନେଇ ଗର୍ବ କରିବା ସହ ନିଜ ଭାଷାକୁ ନିଜେ ଜାଣିବା ଆବଶ୍ୟକ ବୋଲି ଗୁରୁ ଆହ୍ବାନ ଦେଇ ଆସିଥିଲେ। ତେଣୁ ସମ୍ବଲପୁରୀ ଭାଷାରେ କବିତା, ପ୍ରବନ୍ଧ ଲେଖିବା ସହ ସମସ୍ତେ ନିଜ ମାତୃଭାଷାକୁ ମଜବୁତ କରିବା ପାଇଁ ଶ୍ରୀ ବହିଦାରଙ୍କ ସେତେବେଳର ଆହ୍ବାନ ଏବେ ସମ୍ବଲପୁରୀ ଭାଷାର ଅସ୍ତିତ୍ବ ସାଜିଛି । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ପରିଚୟ କହିଲେ ଗୁରୁ ସତ୍ୟନାରାୟଣ ବହିଦାର । ଆଜିର ଦିବସରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିବସ ହୋଇଥିବାରୁ ପ୍ରତିବର୍ଷ ଅଗଷ୍ଟ ୧ ତାରିଖକୁ 'ସମ୍ବଲପୁର ଦିନ୍' ଭାବେ ପାଳିତ ହୋଇଆସୁଛି । ଚଳିତ ବର୍ଷ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସମ୍ମାନ ଉଦ୍ଦେଶ୍ୟରେ ଦୁଇଦିନିଆ ୧୩ ତମ ବାର୍ଷିକ ସମ୍ବଲପୁର ଦିନ୍ ପାଳନ ହେଉଛି । ଗତକାଲି ଚିତ୍ରକଳା ସାଂସ୍କୃତିକ ପ୍ରତିଯୋଗିତା ହୋଇଥିବା ବେଳେ ଆଜି ଅପରାହ୍ନ ୩ଟା ବେଳେ ଜେଲଛକ ସ୍ଥିତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଡେରା ଠାରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ