କନ୍ଧମାଳ , ୧ ଅଗଷ୍ଟ (ହି.ସ.) କନ୍ଧମାଳ ଜିଲ୍ଲା ର ଗ୍ରାମାଞ୍ଚଳରେ ରାସ୍ତା ନଥିବାରୁ ଗାଁ କୁ ପହଁଚି ପାରିଲାନି ଆମ୍ବୁଲାନ୍ସ । ଅଙ୍କାବଙ୍କା ଜଙ୍ଗଲ ରାସ୍ତାରେ ଗୁରୁତର ମହିଳାଙ୍କୁ ୮ କିଲୋମିଟର କାନ୍ଧରେ ବୋହିଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତରେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର ତର୍ଲଙ୍ଗି ଗ୍ରାମର ଡୁମେରପଡ଼ା ଅଞ୍ଚଳର ମହିଳା ବଲମାଡୁ ମାଝୀ ସପରିବାର ସହ ରାତିରେ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ିଲା । ପରିବାର ଲୋକେ ସକାଳୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁ କୁ ରାସ୍ତା ନଥିବାରୁ ଗାଁ ରେ ପହଁଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଗୁରୁତର ଅବସ୍ଥାରେ ବଲମାଡ଼ୁ ମାଝୀଙ୍କୁ ଅଙ୍କାବଙ୍କା ଜଙ୍ଗଲ ରାସ୍ତାରେ ଦୀର୍ଘ ଆଠ କିଲୋମିଟର କାନ୍ଧରେ ବୋହି ପିକୁସ ଗାଁ ପର୍ଯ୍ୟନ୍ତ ଆଣିଥିଲେ ପରିବାର ଲୋକେ । ସେଠାରୁ ମହିଳାଙ୍କୁ ଆମ୍ବୁଲାନ୍ସରେ ଆଣି ପ୍ରଥମେ ତୁମୁଡ଼ିବନ୍ଧ ଓ ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ କରାଇଥିଲେ । କିନ୍ତୁ ବାଲିଗୁଡ଼ାରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେପଟେ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଁଚି ପାରିଲାନି । ଏବଂ ସଠିକ୍ ସମୟରେ ଆମେ ଡ଼ାକ୍ତରଖାନାରେ ପହଁଚି ପାରିଲୁ ନାହିଁ । ଯାହା ଫଳରେ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି ମୃତକଙ୍କ ପୁଅ । ଅନ୍ୟପଟେ ଏ ଘଟଣା ନୁଆ ନେହେଁ , ସବୁବେଳେ ଆମେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛୁ । ଗାଁ କୁ ଭଲ ରାସ୍ତାଟିଏ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଦାବି ଜଣାଇଛୁ । ହେଲେ ଆଜି ପର୍ଯ୍ୟନ୍ତ ଆମ ଗାଁ ପ୍ରତି କାହାର ଦୃଷ୍ଟି ପଡ଼ିନାହିଁ । ଏଣୁ ଯଥାଶୀଘ୍ର ତର୍ଲଙ୍ଗି ଗାଁ ପ୍ରତି ସରକାର ଦୃଷ୍ଟି ଦେଇ ଆମ ସମସ୍ୟାର ସମାଧାନ କରନ୍ତୁ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ