ଚମ୍ପୁଆ, ୩୧ ଅଗଷ୍ଟ (ହି.ସ.) - ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ନଗର ନିଗମର ପରିମଳ ବ୍ୟବସ୍ଥା ଅତି ଶୋଚନୀୟ ହୋଇ ପଡିଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।କାଗଜ କଲମରେ ସବୁ କାମ ଠିକଠାକ ଚାଲିଥିବାବେଳେ ପ୍ରକୃତପକ୍ଷେ କାର୍ଯ୍ୟ କ୍ଷେତ୍ରରେ ସେପରି ଦେଖିବାକୁ ମିଳୁନାହିଁ। ଯାଗା ଯାଗାରେ କୁଢ଼ କୁଢ଼ ଅଳିଆ ଗଦା ପଡି ରହୁଥିଲେ ମଧ୍ୟ ଯୋଡ଼ା ନଗର ନିଗମର ସେଥିପ୍ରତି ନଜର ନାହିଁ। ବର୍ଷାଦିନେ ଗ୍ରାସ କଟିଙ୍ଗ, ବ୍ଲିଚିଂ ଓ ମଶା ଧୂଆଁ ପରି ପ୍ରତିଷେଧକ ବ୍ୟବସ୍ଥା ନ ହେବାରୁ ମଶାର ପ୍ରାଦୁର୍ଭାବ ଅଂଚଳରେ ଅସହ୍ୟ ହୋଇ ପଡିଛି। ଅଳିଆ ବୁହା ଗାଡ଼ି ସପ୍ତାହରେ ମଧ୍ୟ ବସ୍ତି ଭିତରକୁ ଯିବା ଦେଖିବାକୁ ମିଳୁନାହିଁ। ଯାହାଦ୍ୱାରା ଲୋକମାନେ ରାସ୍ତା କଡରେ ଥିବା ଫାଙ୍କା ଜାଗାରେ ଅଳିଆ ପକାଉଥିବା ଦେଖିବାକୁ ମିଳୁଛି। ଯେପରି ନଗର ନିଗମର ସଫେଇ ବ୍ୟବସ୍ଥା ସହିତ କୌଣସି ସମ୍ପର୍କ ନ ଥିବା ପରି ଜଣାପଡୁଛି। ତେବେ ଭେଣ୍ଡର ବଦଳି ହେବା ପୂର୍ବରୁ ଦିନକୁ ୮୬ ଜଣ ଶ୍ରିମିକ ଠିକ୍ ଠାକ୍ କାମ କରୁଥିବା ବେଳେ ନୂଆ ଭେଣ୍ଡର୍ ଦିନକୁ ୧୬୦ ଜଣ ଶ୍ରମିକଙ୍କୁ କାମରେ ଲଗାଉ ଥିଲେ ମଧ୍ୟ ସଫେଇ କାର୍ଯ୍ୟ ଠିକ୍ ଠାକ୍ ହୋଇ ପାରୁନାହିଁ। ଯାହାକୁ ନେଇ ଯୋଡ଼ା ନଗର ନିଗମର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସମ୍ପର୍କରେ କାମକରୁଥିବା ଶ୍ରମିକ ମାନଙ୍କୁ ପଚାରିବାରୁ ପ୍ରତିଦିନ ୬୦ ରୁ ୭୦ ଜଣ ଶ୍ରମିକ କାମ କରିବାକୁ ଆସୁଥିବା କହୁଥିବା ବେଳେ ଏହି କାମକୁ ନେଇଥିବା ଭେଣ୍ଡର କଟକର କଳିଙ୍ଗ ବିକାଶ କନଷ୍ଟ୍ରକ୍ସନ ମାଲିକ ୧୬୦ ଜଣ ଶ୍ରମିକ କାମ କରୁଥିବା ପ୍ରକାଶ କରିବା ସହିତ ମୁଁ କେବଳ ଶ୍ରମିକ ମାନଙ୍କ ପେମେଂଟ ସମୟରେ କଟକରୁ ଯୋଡ଼ା ଯାଏ ଅନ୍ୟସମୟରେ ସୁପରଭାଇଜର ମାନେ କାମ ତଦାରଖ କରିଥାନ୍ତି ବୋଲି ପ୍ରକାଶ କରିଛନ୍ତି। ତେବେ ଯୋଡ଼ା ପରି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଭେଣ୍ଡର ଉପସ୍ଥିତ ରହୁନଥିବାରୁ କାମରେ ଠକେଇ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି। ଯଦି ଯୋଡ଼ାର ପରିମଳ ବ୍ୟବସ୍ଥା ଏପରି ରହେ ଆଗକୁ ଡେଙ୍ଗୁ, ମ୍ୟାଲେରିଆ ସହିତ ବିଭିନ୍ନ ପ୍ରକାର ଚର୍ମ ରୋଗ ଯେ ନ ବ୍ୟାପିବ ତାହା କହିହେବ ନାହିଁ। ତେଣୁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta