ଚମ୍ପୁଆ, ୦୧ ସେପ୍ଟେମ୍ବର(ହି.ସ.) –ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ ଚାରି ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପାଂଚକେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୯ ଘଟିକା ସମୟରେ ଚମ୍ପୁଆ ଥାନା ସବଇନସ୍ପେକ୍ଟର ନିତେଶ କୁମାର ବେହେରା ପୁଲିସ୍ ଟିମ୍ ସହ ପେଟ୍ରୋଲିଂ କରୁଥିବା ବେଳେ ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ନିକଟରେ ମୋଟର ସାଇକେଲ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଚଢାଉ କରି ସନ୍ଦିଗ୍ଧ ମାନଙ୍କୁ ଅଟକ ରଖିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଛାନଭିନ କରିବା ପରେ ସେମାନଙ୍କ ନିକଟରୁ ୫ କିଲୋ ୩୪୦ ଗ୍ରାମ ଗଞ୍ଜେଇ ସହ ଏକ ଆର ୧୫ ୟାମାହା ମୋଟର ସାଇକଲ (ଗାଡି ନଂ ଓଡି୦୯ଡବ୍ଲୁ୧୦୯୧) ଏବଂ ଦୁଇଗୋଟି ମୋବାଇଲ ଫୋନ ଜବତ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଗିରଫ ଅଭିଯୁକ୍ତ ମାନେ ହେଲେ ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ଗ୍ରାମର ଅଜୟ କୁମାର ସାହୁ (୩୮), ମାନସ କୁମାର ରାଉତ, ବାରିକ ସାହିର ଉଦିପ ରାମ, ଟୁଣୁଟୁଣାର ସତ୍ୟାନନ୍ଦ ନାଏକ। ଚମ୍ପୁଆ ପୁଲିସ୍ ଥାନା କେସ ନଂ ୨୬୪/୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ନେଇ ଚମ୍ପୁଆ ଥାନା ଆଇଆଇସି ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta