ସମ୍ବଲପୁର, ୦୧ ସେପ୍ଟେମ୍ବର (ହି.ସ.) - ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍େଟମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ମଧ୍ୟ ଏହି ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଥିଲା। କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ବହୁ ସାମ୍ବାଦିକଙ୍କ ପରିବାର ଦେୟମୁକ୍ତ ଭାବେ ବିଭିନ୍ନ ଅନୁବନ୍ଧିତ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଚଳିତ ବର୍ଷ ମଧ୍ୟ ଉଭୟ ନୂତନ ଏବଂ ନବୀକରଣ ନିମନ୍ତେ ସାମ୍ବାଦିକମାନଙ୍କଠାରୁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି । ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ଡବ୍ଲୁଡବ୍ଲୁଡବ୍ଲୁଡଟ୍ଓଡବ୍ଲୁଜେଡବ୍ଲୁଏସଡଟ୍ଓଡ଼ିଶାଡଟ୍ଜିଓଭି.ଇନ୍ ରେ ଆବେଦନ କରିପାରିବେ ବୋଲି ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ