ମାଲକାନଗିରି, ୧ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଥାନା କତା ମାଟେରୁ ଗାଁରୁ ଇର୍ମା ସୋଢ଼ୀ ଗତକାଲି ଛତିଶଗଡ଼ର ସୁକମା ଜିଲ୍ଲା ତେଲବର୍ତୀ ଗାଁକୁ ଏକ ଦେଶୀ ଡଙ୍ଗାରେ ଦିନ ମଜୁରୀ କରିବାକୁ ଯାଇଥିଲେ। ସେଠାରେ ସେ କାମ ସାରି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ସାବେରୀ ନଦୀରେ ଘର ଅଭିମୁଖେ ଫେରିବା ବେଳେ ଅଘଟଣର ଶିକାର ହୋଇଥିଲେ। ଦଦରା ଡଙ୍ଗାରେ ପାଣି ପ୍ରବେଶ କରିଥିଲା ଏବଂ ଏହା ଓଲଟି ପଡ଼ିଥିଲା। ଆଜି ସକାଳେ ଗାଁର କିଛି ଲୋକ ସାବେରୀ ନଦୀକୁ ଯାଇଥିଲେ। ଏହି ସମୟରେ ସେମାନେ ଇର୍ମା ନଦୀ ଭିତରେ ଫସିଥିବା ଦେଖିବାକୁ ପାଇଥିଲେ। ଏମାନେ ମାଲକାନଗିରି ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଛତିଶଗଡ଼ ପୁଲିସ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିଲା। ପରେ ସୁକମା ପୁଲିସ ସିଆରପିଏଫ୍ ଯବାନଙ୍କୁ ସୂଚନା ଦେଇଥିଲେ। ସିଆରପିଏଫ ଟିମ୍ ବାୟୁସେନାକୁ ସୂଚନା ଦେଇଥିଲା। ଜଗଦଲପୁରରୁ ହେଲିକପ୍ଟର ଆସିବା ପରେ ସାବେରୀ ନଦୀରୁ ଇର୍ମା ଉଦ୍ଧାର ହୋଇଥିଲେ। ପ୍ରାୟ ୧୮ ଘଂଟା ପରେ ଇର୍ମାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ଇର୍ମାଙ୍କୁ ଉଦ୍ଧାର କରାଯିବା ପରେ ସୁକମା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଡାକ୍ତରଙ୍କ ରିପୋର୍ଟ ଅନୁସାରେ ଇର୍ମା ଏବେ ସୁସ୍ଥ ଅଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ