ନିଯୁକ୍ତିରେ ଚଂଚକତା ଅଭିଯୋଗ, ସଭାପତି ଓ ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ; ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ
ନିଯୁକ୍ତିରେ ଚଂଚକତା ହୋଇଥିବା ଅଭିଯୋଗ,
Chanchakata abhijog


ବାରିପଦା, ୧ ସେପ୍ଟେମ୍ବର (ହି.ସ.)- ଓଡିଶା ଆଦର୍ଶ ବିଦ୍ୟାଳୟରେ ଚଞ୍ଚକତା କରି ରୋଷେଇୟା, ଜଗୁଆଳି ଆଦି ନିଯୁକ୍ତି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଶ୍ୟାମାଖୁଣ୍ଟା ପଞ୍ଚାୟତ ସମିତିର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ମିଶନ ଶକ୍ତି ସଭାପତି ଓ ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି। ଶ୍ୟାମାଖୁଣ୍ଟା ପଞ୍ଚାୟତ ସମିତିର ମିଶନ ଶକ୍ତି ବିପିସି, ବିପିଏମ, ବିଏଲଇ, ସଭାପତି ଓ ସମ୍ପାଦକଙ୍କ ସମ୍ପୃକ୍ତ ଥିବା ବେଳେ ତୁରନ୍ତ ବହିଷ୍କାର ନିମନ୍ତେ ଦାବି କରିଛନ୍ତି। ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ଯୋଜନା ତତ୍କାଳୀନ ବିଜେଡ଼ି ସରକାର ସମୟରେ କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ଶ୍ୟାମାଖୁଣ୍ଟା ପଞ୍ଚାୟତ ସମିତିର ମିଶନ ଶକ୍ତି କର୍ମୀ ଚଞ୍ଚକତା କରି ଶ୍ୟାମାଖୁଣ୍ଟା ପଞ୍ଚାୟତ ସମିତିରେ ଥିବା କୌଣସି ଗ୍ରାମ ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନ ଜଣାଇ ନିଜର ଆତ୍ମୀୟସ୍ୱଜନଙ୍କୁ ଚୟନ କରି ନିଯୁକ୍ତି ଦେଇଛନ୍ତି। ଗତ ତା-୨୯-୦୪-୨୦୨୫ ରିଖ ଚିଠି ନମ୍ବର ୧୯୩/ଓଏଭିଏସଏସ/୨୦୨୪ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସାନଶୋଳ ତରଫରୁ ମୁଖ୍ୟ ରୋଷେୟା, ସହଯୋଗୀ ରୋଷେୟା ଓ ରାତ୍ରି ଜଗୁଆଳି ନିଯୁକ୍ତି ନିମନ୍ତେ ଶ୍ୟାମାଖୁଣ୍ଟା ପଞ୍ଚାୟତ ସମିତିରେ ମିଶନ ଶକ୍ତି ବିଏଲଏଫକୁ ଚିଠି ହୋଇଥିଲା। ସେନେଇ କୌଣସି ଗ୍ରାମପଞ୍ଚାୟର ଏସଏଚଜି ମହିଳା ମାନଙ୍କୁ ନ ଜଣାଇ କିମ୍ବା କୌଣସି ବୈଠକ ନକରି ଲୁଚାଛପାରେ ଆତ୍ମୀୟ ମାନଙ୍କୁ ନିଯୁକ୍ତି ଦେଇଛନ୍ତି। ତତ୍ ସହିତ ଯେଉଁ ମାନଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ଆବେଦନ ଫର୍ମରେ ଅନେକ ଭୁଲ ତ୍ରୁଟି ରହିଛି ବୋଲି ଅଭିଯୋଗ କରିଛନ୍ତି। ଆବେଦନ ଫର୍ମକୁ ସମ୍ପୂର୍ଣ୍ଣ ଭାବରେ ପୂରଣ କରି ନାହାନ୍ତି, ଶିକ୍ଷାଗତ ଯୋଗ୍ୟତା ସବୁ ନକଲ ଦିଆଯାଇନାହିଁ, ଅଭିଜ୍ଞତା ପ୍ରମାଣ ପତ୍ର ନାହିଁ, ଶିକ୍ଷାଗତ ଯୋଗ୍ୟତା ବିନା ରାତ୍ରି ଜଗୁଆଳି ନିଯୁକ୍ତି ହୋଇଛି ବୋଲି ଅଭିଯୋଗ କରିଛନ୍ତି। ତେଣୁକରି ଉକ୍ତ ଚୟନ ପ୍ରକ୍ରିୟାକୁ ଯଥାଶୀଘ୍ର ରଦ୍ଧ କରିବାକୁ ନିବେଦନ କରିଛନ୍ତି। ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା କୋଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ତେଣୁକରି ଆଗାମୀ ଏକ ମାସ ମଧ୍ୟରେ ସମାଧାନ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଶ୍ୟାମାଖୁଣ୍ଟା ପଞ୍ଚାୟତ ସମିତି ଅଧୀନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande