ମାଲକାନଗିରି, ୧ ସେପ୍ଟେମ୍ବର (ହି.ସ.)ଜଙ୍ଗଲ ସାଙ୍ଗକୁ ଉଭୟ ନଦୀର ତଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସରକାରୀ ବାବୁଙ୍କ ଦୃଷ୍ଟି ଆଢୁଆଳରୁ ବର୍ତ୍ତୀ ରହିଥିବା ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ କୁଟୁମପଲ୍ଲୀ ଅଞ୍ଚଳରେ ଚାଲିଛି ବାଲି ମାଫିଆଙ୍କ ରାଜ! ଗ୍ରାମ ନିକଟସ୍ଥ ନଦୀ ଘାଟରୁ ଲୋଡ ଲୋଡ ବାଲି ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡ଼ିଛି ।
ମାଲକାନଗିରି ଜିଲ୍ଲାର ଜୀବନରେଖା କୁହାଯାଉଥିବା ଶାବେରୀ ନଦୀ ଠାରୁ ମାତ୍ର କେଇ ମିଟର ଦୂରରେ ରହିଥିବା ବିସ୍ତିର୍ଣ୍ଣ ବାଲିକୁ ଟ୍ରାକ୍ଟର ସାହାଯ୍ୟରେ ଲୋଡ କରି ବେଆଇନ ଭାବେ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ କିଛି ଚାଲାଣକାରୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ନଦୀ ତଟରେ ଥିବା ଜଙ୍ଗଲରେ ମଧ୍ୟ ଲୋଡ ଲୋଡ ବାଲି ଗଚ୍ଛିତ ରଖିଛନ୍ତି । ସୂଚନା ମୁତାବକ ମାଲାକନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ଏମପିଭି ୫୪ ଓ କୁଟୁମପଲ୍ଲୀ ଗ୍ରାମ ନଦୀ ତଟକୁ ଯାଉଥିବା ରାସ୍ତା ଦେଇ କୁଟୁମପଲ୍ଲୀ ନଦୀ କୂଳରୁ ଦୈନିକ ଟ୍ରାକ୍ଟର ଯୋଗେ ଏହି ବାଲି ଚାଲାଣ କରାଯାଉଥିବା ଜଣାପଡ଼ିଛି । ଏଥିସହ ନଦୀ ଘାଟରୁ ବାଲି ବୋହି ନଦୀ ତଟରେ ଥିବା ଜଙ୍ଗଲରେ
ରଖି ଆବଶ୍ୟକ ମୁତାବକ କାମରେ ଲଗାଇବା ପାଇଁ ଚାଲାଣ କରାଯାଉଥିବା ଜଣାପଡ଼ିଛି । ଏହି ସ୍ଥାନରେ ସରକାରୀ ବାବୁଙ୍କ ପାଦ ପଡୁ ନଥିବାରୁ ଏହାର ସୁଯୋଗ ନେଇ ବେଆଇନ ଚାଲାଣକାରୀ ମାନେ ସକ୍ରିୟ ଭାବେ ଏଠାରୁ ବାଲି ଚାଲାଣ କରୁଛନ୍ତି । ଘାଟରୁ ବେଆଇନ ଭାବେ ବାଲି ଚାଲାଣ ଯୋଗୁଁ ସରକାରଙ୍କ ରାଜସ୍ୱ ହାନୀ ହେଉଛି । ଏ ନେଇ ମୋଟୁ ତହସିଲଦାରଙ୍କ ସହ ଆଲୋଚନା କରିବାରୁ ସେ ଏ ବାବଦରେ ଜାଣି ନ ଥିବା ବେଳେ ଏହାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ