ବଲାଙ୍ଗୀର, ୦୧ ସେପ୍ଟେମ୍ବର(ହି.ସ.) – ଲୋଇସିଂହାକୁ ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା ମିଳିବା ପରେ ସ୍ଥାନୀୟ ଅଂଚଳରେ ଖୁସିର ଲହର ଖେଳି ଯାଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଲୋକଙ୍କ ସରକାର ତରଫରୁ ନିଆଯାଇଥିବା ଏହି ଐତିହାସିକ ନିଷ୍ପତିକୁ ନେଇ ଅଂଚଳବାସୀ ଖୁସିବ୍ୟକ୍ତ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ଲୋଇସିଂହାର ଜନସାଧାରଣଙ୍କ ସହ ମିଶି ଲୋକସେବା ଭବନଠାରେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସରକାରଙ୍କ ଏହି ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେମୁଖ୍ୟମନ୍ତ୍ରୀ ଲୋଇସିଂହାର ବିକାଶ ଏବଂ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି।
ଏହା ପରେ ମନ୍ତ୍ରୀ ଡ. ମହାଲିଙ୍ଗ ଏବଂ ଅଂଚଳବାସୀ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ। ଡବଲ ଇଞ୍ଜିନ ସରକାରରେ ଲୋଇସିଂହାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଲୋକଙ୍କ ସରକାରରେ ସାକାର ହୋଇଛି ଏବଂ ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ବାସ୍ତବ ରୂପ ନେଉଛି ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ ପ୍ରକାଶ କରିଛନ୍ତି।
ଉଭୟ ଅବସରରେ ବୁର୍ଡା ସରପଂଚ ଶ୍ରୀ ସୁଦିପ କୁମାର ସା, ଲୋଇସିଂହା ସରପଂଚ ଶ୍ରୀ ନବ କିଶୋର ନାଏକ, ବୁର୍ଡାର ପୂର୍ବତନ ସରପଂଚ ଶ୍ରୀ ପ୍ରହଲ୍ଲାଦ ସାହୁ, ଲୋଇସିଂହା ନାଗରିକ କମିଟିର ସମ୍ପାଦକ ଶ୍ରୀ ପ୍ରଶାନ୍ତ ବେହେରା, ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ଭୂତନାଥ ନାଏକ, ଶଙ୍କର ସାହୁ, ପ୍ରଶାନ୍ତ ସାହୁ, ନୀରଜ କୁମାର ନାଗ, ଭୁବନେଶ୍ୱର ଧରୁଆ, ବୁର୍ଡା ଏବଂ ଲୋଇସିଂହା ପଂଚାୟତର ବରିଷ୍ଠ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ