ବଲାଙ୍ଗିର, ୧୩ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ସହର ଏକ ଚେସବୋର୍ଡର ସହର ବୋଲି କୁହାଯାଏ । କିନ୍ତୁ, ଜବରଦଖଲ ଓ ଲାଇନ ବିଭାଗ ଗୁଡିକର ତୃଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ସହରର ଜଳ ନିଷ୍କାସନ ହୋଇନପାରି ସାମାନ୍ୟ ବର୍ଷାରେ ସହର ଉବୁଡୁବୁ ହୋଇଯାଉଛି । ଗୁରୁବାର ରାତିରେ ପ୍ରାୟ ଏକ ଘଣ୍ଟାର ବର୍ଷାରେ ବଲାଙ୍ଗିର ସହରରେ ପାଣିଭର୍ତ୍ତି ହୋଇଯାଇଥିବା ବେଳେ ସମଲେଶ୍ୱରୀ ମନ୍ଦିରର ଗର୍ଭଗୃହକୁ ପାଣି ପଶିଥିଲା । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ବର୍ଷା ପୂର୍ବରୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ତାଙ୍କର ନିର୍ବାଚନ ମଣ୍ଡଳି ସ୍ତରୀୟ ସମୀକ୍ଷା ବୈଠକରେ ସହରରେ ଥିବା ଜାତୀୟରାଜପଥ ବିଭାଗ (ଏନଏଚ) ଓ ପୂର୍ତ୍ତ ବିଭାଗର ରାସ୍ତାର ଉଭୟ କଡେ ଥିବା ଡ୍ରେନ ନିର୍ମାଣ କରି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ କରିଥିଲେ । ଏହା ସହିତ ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟାନନ୍ଦ ସେଠୀଙ୍କ ଉପସ୍ଥିତିରେ ପୌରପାଳିକା ସହିତ ପୂର୍ତ୍ତବିଭାଗ ,ଏନଏଚ ବିଭାଗ ଓ ଜନସ୍ୱାସ୍ଥ୍ୟବିଭାଗ ଓ କ୍ଷୁଦ୍ର ଜଳ ସେଚନ ବିଭାଗକୁ ନେଇ ଏକ ଯୁଗ୍ମବୈଠକ ମଧ୍ୟ କରାଯାଇଥିଲା । କିନ୍ତୁ ପୂର୍ତ୍ତବିଭାଗ କିମ୍ବା ଏନଏସ ବିଭାଗ କୌଣସି ଡ୍ରେନକାମ କରାଇଲେ ନାହିଁ । ସାମାନ୍ୟ କିଛି ଅଂଶକୁ କାମ କରାଇ ପୂର୍ତ୍ତବିଭାଗ ନୀରବ ରହିଥିବା ବେଳେ ଏନଏଚ ବିଭାଗ କୌଣସି ପଦକ୍ଷେପ ନେଲା ନାହିଁ । ସହରରେ ଅନେକ ସ୍ଥାନରେ ଡ୍ରେନକାମ ସଂପୂର୍ଣ୍ଣ ହୋଇନଥିବାରୁ ଜଳନିସ୍କାସନରେ ଅସୁବିଧା ହେଉଛି । ବିଧାୟକ କଳିକେଶ ତଥା ପୌରାଧ୍ୟକ୍ଷାଙ୍କ ନିର୍ଦ୍ଦେଶ ସତ୍ୱେ ବିଭାଗଗୁଡିକ କାମ କରୁନଥିବାରୁ ଆଜି ନିଜେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ କାଉନସିଲରଙ୍କୁ ନେଇ ଉଭୟ ପୂର୍ତ୍ତବିଭାଗ ଓ ଏନଏଚ ବିଭାଗର ଅଧିକାରୀଙ୍କୁ ଘେରିଥିଲେ । ତୁରନ୍ତ କାମ ଆରମ୍ଭ ନକଲେ ପୌରାଧ୍ୟକ୍ଷା ଆନ୍ଦୋଳନ ଚେତାବନୀ ମଧ୍ୟ ଦେଇଥିଲେ । ଗତକାଲିର ଘେରାଉ ପରେ ପୂର୍ତ୍ତବିଭାଗ ଓ ଏନଏଚ ବିଭାଗର ଚେତା ପଶିଛି । ଉଭୟ ବିଭାଗ ଅଧିନରେ ଥିବା ରାସ୍ତାର ଉଭୟ କଡେ ଡ୍ରେନକାମ ଆସନ୍ତା ମାସ ଶେଷ ସପ୍ତାହରୁୁ ଆରମ୍ଭ କରାଯିବ ଯନ୍ତ୍ରୀମାନେ ପ୍ରତିଶୃତି ଦେଇଥିବା ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି ।
ଗଣମାଧ୍ୟମକୁ ପୌରାଧ୍ୟକ୍ଷା ଲିକା କହିଛନ୍ତି ବିଧାୟକଙ୍କ ସମୀକ୍ଷା ବୈଠକ ତଥା ଆମେ କରିଥିବା ଯୁଗ୍ମ ବୈଠକରେ ଦିଆଯାଇଥିବା ନିର୍ଦ୍ଦେଶକୁ ପୂର୍ତ୍ତ ବିଭାଗ କିମ୍ବା ଏନଏଚ ବିଭାଗ ପାଳନ କରୁନାହିଁ । ଅନେକ ସ୍ଥାନରେ ଡ୍ରେନ ନାହିଁ ତଥା କିଛି ସ୍ଥାନରେ ଡ୍ରେନକାମ ଅଧାପନ୍ତରିଆ ପଡିରହିଛି । ସେଥିପାଇଁ ବର୍ଷାହେଲେ ସହରବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି । ଆଜି ଉଭୟ ବିଭାଗୀୟ କାର୍ଯ୍ୟାଳୟକୁ ଯାଇ ଆଲୋଚନା କରାଯାଇ ଚେତାବନୀ ଦିଆଯାଇଛି । ଯଦି କାମ ନହେବ ତାହେଲେ ଲୋକଙ୍କୁ ନେଇ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ପୌରାଧ୍ୟକ୍ଷା ଲିକା ସାହୁ କହିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହ ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ,ବରିଷ୍ଠ କାଉନସିଲର ସରିତା ଦାସ,ଶମ୍ଭୁ ନାଗ,ସନ୍ତୋଷିନୀ କୁଅଁର,ନନ୍ଦିନୀ ପୋଢ,ଗଙ୍ଗା ଚାନ୍ଦ,ଲଲାଟେନ୍ଦୁ ପଟ୍ଟନାୟକ, ଶତୃଘ୍ନ ବାଗ, କିଶୋର କୁମ୍ଭାର, ରଜନୀ ବନଛୋର, ସସ୍ମିତା ନନ୍ଦ, ମହେନ୍ଦ୍ର ବାଗ, ସତ୍ଯ ନାଏକ, ସନ୍ତୋଷ ଦନ୍ତା, ପ୍ରତିମା ଛତ୍ରିଆ, ରାଜ୍ଯସଭା ସାଂସଦ ପ୍ରତିନିଧି ମୁନ୍ନା ଖାନଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ