ହରିଚନ୍ଦନପୁର, ତା ୧୭ ସେପ୍ଟେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନ ଅନ୍ୱେଷଣ କାର୍ଯ୍ୟକ୍ରମ (ୟାଟ୍ସ)ର ୧୯ତମ ସଂସ୍କରଣରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନସ୍ଥ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍, ଭୁବନେଶ୍ୱର ସହଯୋଗରେ ୟାଟ୍ସ ଅନୁଷ୍ଠିତ ହୋଇଯାଇଛି । ହରିଚନ୍ଦନପୁର ବାଳିକା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ସେଠୀ, ହରିଚନ୍ଦନପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ସରସୀବାଳା ଦେହୁରୀ ଏବଂ ହରିଚନ୍ଦନପୁର ସରକାରୀ ନୋଡାଲ୍ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ଶ୍ରୀ ମାୟାଧର ମହାନ୍ତଙ୍କ ମାର୍ଗଦର୍ଶନରେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ନେଇ ସ୍କୁଲରେ ଏମ୍ସିକ୍ୟୁ ଅନୁଶୀଳନ ଓ ମୁକ୍ତ କୁଇଜ୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ହରିଚନ୍ଦନପୁର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସ ପାଇକରାୟ, ପ୍ରଦୀପ କୁମାର ସାହୁ, ଜଗବନ୍ଧୁ ବାରିକ, ପ୍ରେମାନନ୍ଦ ଦାସ , ହିମାଂଶୁ ଶେଖର ଦାସ ଓ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ୟାଟ୍ସ ୨୦୨୫ ସଂସ୍କରଣର ବିଷୟବସ୍ତୁ ରହିଛି “ଆଜିର ନକ୍ଷତ୍ର ଦର୍ଶୀ କାଲିର ମହାକାଶଚାରୀ'' ଏବଂ ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ମୁକ୍ତ କୁଇଜ୍ ଏବଂ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ବହୁବିଧ ପସନ୍ଦ ପ୍ରଶ୍ନ (ଏମ୍ସିକ୍ୟୁ) ପରୀକ୍ଷାକୁ ସ୍କୁଲରେ ଓ ଅନଲାଇନ୍ ମାଧ୍ୟମରେ ଆୟୋଜନ କରାଯାଇଛି । ୨୦୨୫ ଅଗଷ୍ଟ ୨୧ରେ ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଲୋକସେବା ଭବନରୁ ଶୁଭାରମ୍ଭ କରାଯାଇଥିବା ୟାଟ୍ସର ୧୯ତମ ସଂସ୍କରଣ ଓଡ଼ିଶାର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମହାକାଶ ବିଜ୍ଞାନ ଓ ଜ୍ୟୋତିର୍ବିଜ୍ଞାନ ଉପରେ ସେମାନଙ୍କ ରହିଥିବା ଭାବନା ଓ ବିଶେଷତାକୁ ପରିପ୍ରକାଶ କରିବାର ମଞ୍ଚ ପ୍ରଦାନ କରୁଛି । ଜ୍ୟୋତିର୍ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଓ ମହାକାଶ ବିଜ୍ଞାନ ପ୍ରତି ପଠାଣୀ ସାମନ୍ତ ଭାବେ ପରିଚିତ କିମ୍ବଦନ୍ତୀ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ମହାମହୋପାଧ୍ୟାୟ ପଣ୍ଡିତ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରାଙ୍କ ଅବଦାନର ପ୍ରସାର କରିବାକୁ ୟାଟ୍ସ ଲକ୍ଷ୍ୟ ରଖିଛି । ଓଡ଼ିଶାର ପ୍ରତି ଜିଲ୍ଲାରୁ ଚୟନ କରାଯାଉଥିବା ପ୍ରତିଯୋଗୀମାନଙ୍କୁ ୨୦୨୫ ଡିସେମ୍ବର ୧୩ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ୍ ଫିନାଲେ ପାଇଁ ଆମନ୍ତ୍ରଣ କରାଯିବ । ସେହିଦିନ ବିଜେତାମାନଙ୍କ ନାମ ଘୋଷଣା କରାଯିବା ସହ ସେମାନଙ୍କୁ ପୁରସ୍କୃତ କରାଯିବ । ୟାଟ୍ସ ଗତ ୧୮ ବର୍ଷ ଧରି ମହାକାଶ ବିଜ୍ଞାନର ଚମତ୍କାରିତାକୁ ଅନ୍ୱେଷଣ କରିବା ପାଇଁ ଯୁବ ପ୍ରତିଭାମାନଙ୍କୁ ଅନୁପ୍ରାଣିତ କରୁଛି । ଟାଟା ଷ୍ଟିଲ ୟାଟ୍ସର ୧୮ତମ ସଂସ୍କରଣର ବିଜେତାମାନେ ୨୦୨୫ ମେ’ ଶେଷ ସପ୍ତାହରେ ବେଙ୍ଗାଲୁରୁରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ୍ କମାଣ୍ଡ ନେଟ୍ୱର୍କ (ଇସଟ୍ରାକ) ଓ ୟୁ ଆର୍ ରାଓ ଉପଗ୍ରହ କେନ୍ଦ୍ର (ୟୁଆରଏସସି) ପରିଦର୍ଶନ କରିଥିଲେ ଏବଂ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସମେତ ମହାକାଶ ବିଜ୍ଞାନୀମାନଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇଥିଲେ । ଏଭଳି ଅଭିଯାନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମହାକାଶ ସ୍ୱପ୍ନକୁ ଅନୁସରଣ କରିବାରେ ଆମ ଛାତ୍ରଛାତ୍ରୀଙ୍କୁ ଅମୂଲ୍ୟ ସୁଯୋଗ ପ୍ରଦାନ କରିଛି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ମତପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାନନ୍ଦ