ଜୟପୁର, 17 ସେପ୍ଟେମ୍ବର (ହି. ସ)
ଆମ ପୁଲିସ ବୈଠକ ଅବସରରେ ଆଜି ସ୍ଥାନୀୟ ଏକ କଲ୍ୟାଣ ମଣ୍ତପ ପରିସରରେ ପୁଲିସ ଓ ଅଟୋ ଚାଳକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଏସଡିପିଓ ପାର୍ଥ କଶ୍ୟପ ଉପସ୍ଥିତ ରହି ଅଟୋ ଚାଳକ ମାନଙ୍କୁ ସ୍ପିଡରେ ନ ଚଳାଇବାପାଇଁ ପରାମର୍ଶ ଦେଇଥିଲେ। ଜୟପୁର ସହରରେ ଥିବା ସମସ୍ତ ଅଟୋ କୁ ନମ୍ବରି˚ କରାଯିବା ସହ ରାତ୍ରୀରେ ଯେଉଁ ଅଟୋ ବସଷ୍ଟାଣ୍ତା କିମ୍ବା ଥାନା ନିକଟରେ ରହୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁଲିସ ପକ୍ଷରୁ ଏକ ଲାଇସେନ୍ସ କାର୍ଡ ପ୍ରଦାନ କରାଯିବ। ପ୍ରତିଦିନ ଅଟୋ ଡ୍ରାଇଭର ଥାନାରେ ହାଜିରା ପକାଇବା ସହ ପ୍ରତିମାସରେ ସେହି କାର୍ଡ ରିନ୍ୟୁଆଲ କରିବାକୁ ପଡିବ ବୋଲି କହିଥିଲେ। ଅଟୋ ଚାଳକ ମାନେ ଲୁଟର ଶିକାର ସହ ଅନେକ ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ସେମାନେ ପୁଲିସ ହେଲ୍ପ ଲାଇନରେ ଫୋନ କଲେ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ। ଅଟୋ ଚାଳକ ମାନେ ବିଦ୍ୟାଳୟ ଯିବା ସମୟରେ ନିୟନ୍ତ୍ରଣରୁ ବାହାରେ ପିଲା ମାନଙ୍କୁ ନେଇ ଯାତାୟତ କରୁଥିବା ଯୋଗୁଁ ଅଟୋରେ ଯେପରି ପିଲାମାନେ ସୁରକ୍ଷାରେ ଯାଇପାରିବେ ସେନେଇ ଆଲୋଚନା କରାଯାଇଥିଲା। ବିଭିନ୍ନ ସାହି ଗଳିରେ ଯେପରି ଅଟୋ ରାସ୍ତା ଜାମ କରିବା ସହ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେହିପରି ନକରିବାକୁ ଅନୁରୋଧ କରାଯାଇଥିଲା। ଗଣ ସଚେତନତା ମାଧ୍ୟମରେ ଲୋକଙ୍କ ନିକଟତର ହୋଇ ପୁଲିସ ଲୋକଙ୍କୁ ସୁରକ୍ଷା ଦେବା ସହ ପୁଲିସ ପବ୍ଲିକ ର ସେତୁ ରୁପେ କାର୍ଯ୍ୟ ପାଇଁ ଅଣ୍ଟା ଭିଡିଛି। ଚୋରି ହରି ରୋକିବା ନିମନ୍ତେ ସିସିଟିଭି କ୍ୟାମେରା ଲଗାଯାଇଛି। ଅଟୋର ଗତିବିଧି ଦେଖିବା ପାଇଁ ମଧ୍ୟ ସିସିଟିଭିର ସାହାର୍ଯ୍ୟ ନିଆଯିବ ବୋଲି କହିଥିଲେ। ବିଭିନ୍ନ ଆଳରେ ଜୟପୁର ସହରରେ ଦଲାଲ ମାନେ ଘୁରି ବୁଲୁଛନ୍ତି ସେମାନଙ୍କୁ ସନ୍ଦେହ ହେଲେ ସିଧା ସଳଖ ଅଟୋରେ ବସାଇ ଥାନାରେ ହାଜିର କରିବାକୁ କୁହାଯାଇଥିଲା। କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେନେଇ ଆଲୋଚନା ହୋଇଥିଲା। ଏହି ବୈଠକରେ ପୁଲିସ ବିଭାଗ ପକ୍ଷରୁ ସିଦ୍ଧାନ୍ତ ବେହେରା, ରୁଚିକାନ୍ତ ମହାକୁର ଉପସ୍ଥିତ ଥିବା ବେଳେ ଅଟୋ ଚାଳକ ସ˚ଘ ସଭାପତି ମୀନା ଦାସ ଓ ଆଇନ ପରାମର୍ଶଦାତା ଚିନ୍ମୟୀ ସାହୁ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି