ସମ୍ବଲପୁରରେ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା – ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର/ଭୁବନେଶ୍ୱର,୧୭ ସେପ୍ଟେମ୍ବର (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଆଜି କେବଳ ତାଙ୍କର ଜନ୍ମଦିନର ଅବସର ନୁହେଁ ବରଂ ‘ବିକଶିତ ଓଡ଼ିଶା’ - ‘ବିକଶିତ ଭାରତ’ର ସ୍ୱପ୍ନ ଦ
ସମ୍ବଲପୁରରେ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର/ଭୁବନେଶ୍ୱର,୧୭ ସେପ୍ଟେମ୍ବର (ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଆଜି କେବଳ ତାଙ୍କର ଜନ୍ମଦିନର ଅବସର ନୁହେଁ ବରଂ ‘ବିକଶିତ ଓଡ଼ିଶା’ - ‘ବିକଶିତ ଭାରତ’ର ସ୍ୱପ୍ନ ଦେଖିଥିବା ଏବଂ ତାହାକୁ ବାସ୍ତବର ରୂପ ଦେଉଥିବା ଜଣେ ମହାନ ଲିଡରଙ୍କ ଜନ୍ମଦିନ ବୋଲି ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ସମ୍ବଲପୁରରେ ‘ସେବା ପକ୍ଷ’ ଅଧୀନରେ ଆୟୋଜିତ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମା’ ସମଲେଇଶ୍ୱରୀଙ୍କ ଭୂମି ସମ୍ବଲପୁରରୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଆଜି ବିଶ୍ୱର ଅଦ୍ୱିତୀୟ ଜନନେତା ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଜନ୍ମଦିନ । ଏହି ଉପଲକ୍ଷେ ଆମ ଦଳ ପକ୍ଷରୁ ଆଜି ଠାରୁ ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ପର୍ଯ୍ୟନ୍ତ ୧୫ ଦିନ ଧରି ଦେଶବ୍ୟାପୀ ‘ସେବା ପକ୍ଷ’ ପାଳନ ହେଉଛି । ସେବା ପକ୍ଷରେ ସ୍ୱଚ୍ଛତା, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ଭୋକାଲ୍ ଫର୍ ଲୋକାଲର ପ୍ରଚାର ପାଇଁ ମେଳା, ପ୍ରଦର୍ଶନୀ, ‘ବିକଶିତ ଭାରତ ପେଣ୍ଟିଂ ପ୍ରତିଯୋଗିତା ସହ ‘ମୋଦୀ ବିକାଶ ମାରାଥନ’ର ଆୟୋଜନ ହେଉଛି । ଏହି ପରିପ୍ରେକ୍ଷୀରେ ଆଜିର ସମାବେଶରେ ବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୧୧୪୧ ଜଣ ଲାଭାର୍ଥୀଙ୍କୁ ସହାୟତା ପ୍ରଦାନ କରିବା ସୌଭାଗ୍ୟ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ସମ୍ବଲପୁର କେବଳ ଏକ ସହର ନୁହେଁ, ଏହା ହେଉଛି ଅପାର ସମ୍ଭାବନାର ଏକ କେନ୍ଦ୍ର । ଏହାର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ହସ୍ତତନ୍ତ ଶିଳ୍ପ ଓ ଶୈକ୍ଷିକ ଅନୁଷ୍ଠାନ ଏହାକୁ ଏକ ବିକଶିତ ଅଞ୍ଚଳରେ ପରିଣତ କରିବାରେ ସହାୟକ ହୋଇଛି । ଏହାର ସ୍ୱଦେଶୀ ସାମଗ୍ରୀକୁ ବିଶ୍ୱସ୍ତରରେ ପହଞ୍ଚାଇବା, ମହିଳାଙ୍କୁ ସଶକ୍ତ କରିବା ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଅନେକ ସୁଯୋଗ ରହିଛି । ଆସନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଏହି ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande