ସମ୍ବଲପୁର, ୧୭ ସେପ୍ଟେମ୍ବର (ହି.ସ.) - ଆଜି ପୂର୍ବାହ୍ନରେ ସମ୍ବଲପୁର ସୈନିକ ସ୍କୁଲ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ପାଳନ ଅବସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ୍ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭମୂ, ସମ୍ବଲପୁର ମହାନଗର ନିଗମ ଅଧିକ୍ଷକ ରେହାନ କ୍ଷତ୍ରି, ପୂର୍ବତନ ବିଧାୟକ ନାଉରୀ ନାୟକ, ସମ୍ବଲପୁର ବିଧାୟକଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର ସୈନିକ ସ୍କୁଲ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ପାଳନ ଅବସରରେ ବୃକ୍ଷରୋପଣ ଆୟୋଜିତ କାର୍ଯ୍ୟକ୍ରମ ପାଇଁ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ସେ କହିଥିଲେ ପୃଥିବୀ ମାଁ' କୁ ସେତିକି ଭଲପାଇବା ଦରକାର, ଯେତିକି ଆମ ଜନ୍ମଦାତ୍ରୀ ମା’ କୁ ଭଲ ପାଇବା ଦେଇଥାଉ । ସେତିକି ସୁରକ୍ଷା ଦେବା ଦରକାର, ଯେତିକି ଆମେ ଆମ ମାଁ'କୁ ସୁରକ୍ଷା ପ୍ରଦାନ କରିଥାଉ। ସେଥିପାଇଁ ଧରିତ୍ରୀ ମା’କୁ ସୁରକ୍ଷା ପ୍ରଦାନ କରିବା ଆମର ପ୍ରଧାନ ଦାୟିତ୍ଵ। ତେଣୁ ଆଜି ଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଅବସରରେ ମହାତ୍ମାଗାନ୍ଧି ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିବସ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବା ପକ୍ଷ ପାଳନ କରିବା । ଯେଉଁ ପକ୍ଷରେ ଆମେ ଗଛ ଲଗାଇ ଧରିତ୍ରୀ ମା’ର ସେବା କରିବା ବୋଲି ଶ୍ରୀ ପ୍ରଧାନ ସଚେତନ କରାଇଥିଲେ। ଏହି ଅଭିଯାନ ଅଧୀନରେ କେବଳ ସମ୍ବଲପୁରରେ ପ୍ରାୟ ୪.୫ ଲକ୍ଷ ଗଛ ଲଗାଯିବା ବୋଲି ସେ ସୂଚନା ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ନାଏକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବ୍ଯକ୍ତବରେ କହିଥିଲେ 'ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ' । ଯାହାର ଜୀବନ ତମାମ ରାଷ୍ଟ୍ରସେବା, ରାଷ୍ଟ୍ରଭକ୍ତି ସାର୍ଥକର ପ୍ରତୀକ, ଆଧୁନିକ ଭାରତର ଜଣେ ବିଶ୍ଵକର୍ମା, ରାଜନୈତିକ ତ୍ୟାଗ ଓ ତପସ୍ୟାର ମୂର୍ତ୍ତିମନ୍ତ ପ୍ରତୀକ ଆମ ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ସମସ୍ତେ ଏକତ୍ରିତ ହୋଇ ବୃକ୍ଷ ରୋପଣ କରିବା । କାରଣ ବୃକ୍ଷ ହିଁ ମାନବ ଜୀବନରେ ପ୍ରକୃତିର ଆଶୀର୍ବାଦ ବୋଲି କହିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାରା ଓଡିଶାରେ ୭୫ ଲକ୍ଷ ବୃକ୍ଷ ରୋପଣ କରାଯିବ । କେବଳ ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ୩୮ ଲକ୍ଷ ଗଛ ରୋପଣର ଦାୟିତ୍ଵ ବହନ କରିଛି ବୋଲି ଶ୍ରୀନାଏକ ସୂଚନା ଦେଇଥିଲେ। ପ୍ରତ୍ଯେକ ପଞ୍ଚାୟତରେ ୫୦୦ ବୃକ୍ଷ ରୋପଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ।ମା’ ପାଇଁ ଗଛଟିଏ ଅଭିଯାନ କୁ ଆଗକୁ ବଢାଇ ପରିବେଶ ପ୍ରଦୂଷଣ କୁ ରୋକିବା ପାଇଁ ଚେଷ୍ଟା କରିବାକୁ ସେ ଉଦ୍ବୋଧନ ଦେଇଥିଲେ । ସୂଚନା ଅନୁଯାୟୀ ଆଜି ସୈନିକ ସ୍କୁଲ ରେ ୨୫୦୦ ଟି ବୃକ୍ଷ ରୋପଣ କରା ଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ