କେନ୍ଦ୍ରାପଡ଼ା, ୧୭ ସେପ୍ଟେମ୍ବର(ହି.ସ.) – ରାଜ୍ୟରେ ମହିଳାମାନଙ୍କ ବିରୁଦ୍ଧରେ ସମ୍ପ୍ରତି ଘଟୁଥିବା ଅପରାଧ, ଅସମ୍ମାନ ଓ ଅପମାନ ଜନକ ପରିସ୍ଥିତି ପ୍ରତି ଦୃଷ୍ଟି ଆକର୍ଷଣ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଜିଲ୍ଲା ମହିଳା ବିଜେଡି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ଜିଲ୍ଲାର ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ରୋସ୍ନା ସାହୁଙ୍କ ନେତୃତ୍ୱରେ ମହିଳାମାନେ ଏକ ଶୋଭାଯାତ୍ରାରେ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ପହଂଚି ଦାବିପତ୍ର ପ୍ରଦାନ କରିଥିଲେ। ଓଡ଼ିଶାର ସାମ୍ପ୍ରତିକ ମାମଲାରେ ମହିଳାଙ୍କ ପ୍ରତି ହେଉଥିବା ନିର୍ମମ ଆକ୍ରମଣ, ମହିଳାଙ୍କ ବିରୁଦ୍ଧରେ ଅତ୍ୟାଚାର, ଯେପରିକି ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ଉପୀଡ଼ନ ଏବଂ ବିଭିନ୍ନ ପ୍ରକାରର ହିଂସା, ଆଜିର ସରଳାର ସମୟରେ ଏକ ନିରନ୍ତର ସମସ୍ୟାରେ ପରିଣତ ହୋଇଛି, ଯାହା ନ୍ୟାୟ ପ୍ରଦାନରେ ବ୍ୟବସ୍ଥାଗତ ବିଫଳତାକୁ ମଧ୍ୟ ପ୍ରକାଶ କରୁଛି। ଉପରୋକ୍ତ ତଥ୍ୟ ଏବଂ ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ ମହିଳା ନିର୍ଯାତନା ଏବଂ ଅସୁରକ୍ଷିତ ପରିସ୍ଥିତିର ଏକ ଭୟଙ୍କର ଚିତ୍ର ପ୍ରଦର୍ଶନ କରୁଛି। ତେଣୁ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆବଶ୍ୟକୀୟ ଆଇନ୍ସମ୍ମତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ମହିଳାମାନେ ଦାବି କରିଛନ୍ତି। ଜିଲ୍ଲାପରିଷଦ ସଭାନେତ୍ରୀ ଲିଲିତା ଦାସ, କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ପ୍ରିୟଦର୍ଶିନୀ ତରାଇ, ଲୋପାମୁଦ୍ରା ବାରିକ, ମହିଳା ନଗର/ବ୍ଲକ ସଭାପତି ସ୍ୱୟଂପ୍ରଭା କର, ସୁମିତ୍ରା ପାଢି, ଭକ୍ତିମୟୀ କର, କଳ୍ପନା ମହାନ୍ତି ଆଜିର ଏହି ଦାବି ଦେବା ସମୟରେ ଉପସ୍ଥିତ ଥିଲେ। ଏଥିସହିତ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ପ୍ରଦିପ କୁମାର ସୁତାର, ପ୍ରଭାତ କୁମାର ଉଡ଼ାନସିଂ, ପ୍ରତାପ ନାରାୟଣ ମହାପାତ୍ର, ହିରଣ୍ୟ କୁମାର ପଣ୍ଡା, ମୁକ୍ତାର ଖାଁ, ସେକ ଚନ୍ଦନ, ଲୋହିତ ମହାନ୍ତି, ଆଲୋକ ସାହୁ, ସମ୍ବିତ ଶ୍ରୀ ଚନ୍ଦନ, ବିଜୟ କୁମାର ମଣ୍ଡଳଙ୍କ ସହିତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି