ଧର୍ମଶାଳା,୧୭ସେପ୍ଟେମ୍ବର(ହି.ସ) - ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ଦେବଶିଳ୍ପି ବିଶ୍ୱକର୍ମାଙ୍କ ପୂଜା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଶେଷ କରି ଶିଳ୍ପାନୁଷ୍ଠାନ, ଗ୍ୟରେଜ ଓ ମଟର ଗାଡି ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ମଣ୍ଡପ କରାଯାଇ ବିଶ୍ୱକର୍ମାଙ୍କ ମୃଣମୟୀ ମୁର୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ଏହି ଅବସରରେ ଜାରକା ବିଦ୍ୟୁତ କାର୍ଯ୍ୟଳୟ, ଟ୍ୟାକ୍ସି ଚାଳକ ସଙ୍ଘ, ଛୋଟ ବଡ ଶିଳ୍ପାନୁଷ୍ଠାନ ଓ ମଟର ଗ୍ୟାରେଜ ଗୁଡିକରେ ସୁସଜିତ ମଣ୍ଡପରେ ଠାକୁରଙ୍କ ମୃଣମୟୀ ମୁର୍ତୀକୁ ପ୍ରତିଷ୍ଠା କରାଯାଇ ପୁଜାର୍ଚ୍ଚନା କରାଯାଇଛି । ସନ୍ଧ୍ୟାରେ ବିଭିନ୍ନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ତିନିଦିନ ବ୍ୟାପି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ଦିବସରେ ପାର୍ଯ୍ୟାୟକ୍ରମେ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ । ତେବେ ଜାରକା ବିଦ୍ୟୁତ ବିଭାଗ ପକ୍ଷରୁ ଜାରକା ସମେତ କୁଣ୍ଡପାଟଣା, ନେଉଳପୁର ଓ କବାଟବନ୍ଧ ସେକସନରେ ବିସ୍ୱକର୍ମାଙ୍କ ପୂଜା ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଛି । ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ମଲ୍ଲିକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପରିଡା ଓ କନିଷ୍ଠ ଯନ୍ତ୍ରୀ ଅବନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ