ଭୁବନେଶ୍ୱର, ସେପ୍ଟେମ୍ବର ୧୭(ହି.ସ.)
ସ୍ୱଚ୍ଛତା, ବୃକ୍ଷରୋପଣ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ କାର୍ଯ୍ୟ କରି ପ୍ରଧାନମନ୍ତ୍ରୀଙ୍କୁ
ଜନ୍ମଦିନରେ ଉପହାର ଦେବା - ଧର୍ମେନ୍ଦ୍ର ପ୍ରଧାନ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ
ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ
ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।
ଶ୍ରୀ ପ୍ରଧାନ ଭିଡ଼ିଓ
ବାର୍ତ୍ତାରେ କହିଛନ୍ତି ଯେ, ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀଜୀ ଯେଉଁ ପୃଷ୍ଠଭୂମିରୁ ଆସି ଦେଶର ନେତୃତ୍ୱ
ନେଇଛନ୍ତି ଏବଂ ରାଷ୍ଟ୍ରର ମର୍ଯ୍ୟାଦା ବଢାଇଛନ୍ତି, ତାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ।
ମୋଦିଜୀଙ୍କ ନେତୃତ୍ୱ ସମସ୍ତଙ୍କ ଆତ୍ମବିଶ୍ୱାସ ବଢାଇଛି । ତାଙ୍କର ପୃଷ୍ଠପୋଷକତାରେ ବିଗତ ୧୧
ବର୍ଷ ଧରି ସର୍ବଭାରତୀୟ ସ୍ତରରେ ଏକ କଲ୍ୟାଣକାରୀ ଓ ସେବା ପ୍ରଣାଳିର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି, ଯାହାର କେନ୍ଦ୍ର ବିନ୍ଦୁରେ ଗରିବ, ସାଧାରଣ, ଚାଷୀ, ମହିଳା, ଯୁବବର୍ଗ ଓ ଜନଜାତି ସମୁଦାୟ ଅଛନ୍ତି । ଗରିବ ଓ ସାଧାରଣ ଲୋକମାନେ
ସମ୍ପନ୍ନ ହେବା ସହ ମହିଳାମାନଙ୍କ ସ୍ୱାଭିମାନ ବଢୁ, ଯୁବକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଆସିବା ପାଇଁ ସେ ନିରନ୍ତର ପ୍ରୟାସ
କରୁଛନ୍ତି ।
ପ୍ରଧାନମନ୍ତ୍ରୀ
ମୋଦୀଜୀଙ୍କ ୭୫ତମ ଜନ୍ମଦିନ ଅବସରରେ ଆମ ଦଳ ପକ୍ଷରୁ ଦେଶବ୍ୟାପୀ ‘ସେବା ପକ୍ଷ’ ପାଳନ ହେଉଛି । ଏହି ‘ସେବା ପକ୍ଷ’ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ‘ଗାନ୍ଧୀ ଜୟନ୍ତୀ’ ପର୍ଯ୍ୟନ୍ତ ୧୫ ଦିନ ଧରି ପାଳନ କରାଯିବ । ପ୍ରଧାନମନ୍ତ୍ରୀଙ୍କ
ପ୍ରତିଟି କ୍ଷଣ ଦେଶ ସେବାରେ ସମର୍ପିତ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶକୁ
ପାଥେୟ କରି ଏହି ‘ସେବା
ପକ୍ଷ’
ଅଧୀନରେ ହେଉଥିବା କାର୍ଯ୍ୟକ୍ରମରେ ଭାଗ ନେବା ସହ ପ୍ରଧାନମନ୍ତ୍ରୀଙ୍କ
ଆଦର୍ଶରେ ସ୍ୱଚ୍ଛତା, ସ୍ୱଦେଶୀ ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ ଉପରେ ଗୁରୁତ୍ୱ ଦେବାକୁ ସେ ଓଡ଼ିଶାର ସାଢେ ୪
କୋଟି ଭାଇ ଭଉଣୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ସ୍ୱଚ୍ଛତା ସହ ଏକ୍ ପେଡ୍ ମାଆ
କେ ନାମ ଅଭିଯାନ ୨.୦ ଅଭିଯାନରେ ୭୫ ଲକ୍ଷ ବୃକ୍ଷରୋପଣ କରିବା । ସ୍ୱାସ୍ଥ୍ୟସେବା, ଶିକ୍ଷା, ପୋଷଣ କ୍ଷେତ୍ରରେ ନିଜର ଯୋଗଦାନ ଦେବା ସହ ‘ଭୋକାଲ୍ ଫର୍ ଲୋକାଲ'କୁ ପ୍ରୋତ୍ସାହନ ଦେଇ ଗ୍ରାମୀଣ ଅର୍ଥନୀତିକୁ ମଜଭୂତ୍ କରିବା, ଏହା ହିଁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ସଠିକ୍ ଉପହାର ହେବ ବୋଲି
ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା