ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟିତ
ଜଟଣୀ/ଭୁବନେଶ୍ୱର,୧୭ ସେପ୍ଟେମ୍ବର (ହି.ସ)- ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ରେଳ ଲାଇନରେ ଖୋର୍ଦ୍ଧା ରୋଡ୍ ଏବଂ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ ମଧ୍ୟରେ ଥିବା ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ବୁଧବାର ଉଦଘାଟିତ ହୋଇଯାଇଛି। ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏହି ପାସେଞ୍ଜର ହଲ୍ଟକୁ ଉଦଘାଟନ
ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟିତ


ଜଟଣୀ/ଭୁବନେଶ୍ୱର,୧୭ ସେପ୍ଟେମ୍ବର (ହି.ସ)- ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ରେଳ ଲାଇନରେ ଖୋର୍ଦ୍ଧା ରୋଡ୍ ଏବଂ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ ମଧ୍ୟରେ ଥିବା ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ବୁଧବାର ଉଦଘାଟିତ ହୋଇଯାଇଛି। ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏହି ପାସେଞ୍ଜର ହଲ୍ଟକୁ ଉଦଘାଟନ କରିବ ସହ ସବୁଜ ପତାକା ପ୍ରଦର୍ଶନ କରାଇ ତରବୋଇ ଠାରେ ମେମୁ ଟ୍ରେନର ରହଣି କୁ ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଆଜି ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ରେଳ ଲାଇନର ତରାବୋଇରେ ନୂତନ ପାସେଞ୍ଜର ହଲ୍ଟକୁ ଉଦଘାଟନ କରି ସେ ବହୁତ ଖୁସି । ଏହି ବହୁ ପ୍ରତୀକ୍ଷିତ ସୁବିଧା ତରାବୋଇ ଏବଂ ଆଖପାଖ ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ବହୁତ ଲାଭ ପ୍ରଦାନ କରିବା ସହ ଆଇଆଇଟି ଭୁବନେଶ୍ୱର, ନାଇଜରଏବଂ ନିକଟବର୍ତୀ ଅନ୍ୟାନ୍ୟ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ର ଏବଂ ଅଧ୍ୟାପକମାନଙ୍କୁ ସେବା ଯୋଗାଇବ । ଏଠାରେ ଚାରି ଯୋଡ଼ା ଟ୍ରେନ୍ ରହଣି ପ୍ରଦାନ କରିବା ସହିତ ଦୈନନ୍ଦିନ ଯାତ୍ରୀଙ୍କ ସୁବିଧା ବହୁଗୁଣିତ ହେବ । ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ରହଣି କେବଳ ଶିକ୍ଷା କେନ୍ଦ୍ର ଏବଂ ନିକଟବର୍ତୀ ଗ୍ରାମଗୁଡ଼ିକୁ ଉତ୍ତମ ସଂଯୋଗ ପ୍ରଦାନ କରିବ ନାହିଁ ବରଂ ବରୁଣେଇ ପାହାଡ଼, ଖୋର୍ଦ୍ଧା ଦୁର୍ଗ ଏବଂ ବରୁଣେଇ ମନ୍ଦିର ଭଳି ଐତିହାସିକ ସ୍ଥାନଗୁଡ଼ିକୁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଏହା ଭାରତୀୟ ରେଳବାଇର ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ଶେଷ ମାଇଲ ସଂଯୋଗୀକରଣ ଏବଂ ଓଡ଼ିଶାର ଲୋକଙ୍କ ପାଇଁ ବର୍ଦ୍ଧିତ ଯାତ୍ରୀ ସୁବିଧା ପାଇଁ ଦୃଷ୍ଟିକୋଣ ପୂରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଅଟେ।

ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ତରାବୋଇ ପାସେଞ୍ଜର ହଲ୍ଟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଯାହା ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ପୂରଣ କରିବ ବୋଲି କହିଥିଲାବେଳେ ଏହି ଅଞ୍ଚଳର ପ୍ରତ୍ୟେକ କୋଣରେ ଅନ୍ତର୍ଭୁକ୍ତ ବିକାଶ ଏବଂ ଉନ୍ନତ ସଂଯୋଗ ଆଣିବାରେ ଭାରତୀୟ ରେଳବାଇର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଜାନୁଆରୀ ୨୦୨୪ରେ ରେଳ ବୋର୍ଡ ଦ୍ୱାରା ଅନୁମୋଦିତ ତରାବୋଇ ପାସେଞ୍ଜର ହଲ୍ଟ ସେପ୍ଟେମ୍ବର ୨୦୨୫ ରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଏହି ଅଞ୍ଚଳର ପାଞ୍ଚରୁ ଅଧିକ ଗ୍ରାମ ପଞ୍ଚାୟତକୁ ସେବା ଯୋଗାଇବା ପାଇଁ ପାସେଞ୍ଜର ହଲ୍ଟକୁ ଆଧୁନିକ ଯାତ୍ରୀ ସୁବିଧା ପ୍ରଦାନ କରାଯାଇଛି।

ଚାରି ଯୋଡ଼ା ଟ୍ରେନ୍ ୬୮୪୪୩/୬୮୪୪୪ ଭଦ୍ରକ-ଦସପଲ୍ଲା-ଭଦ୍ରକ ମେମୁ, ୬୮୪୨୯/୬୮୪୩୦ ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ମେମୁ, ୧୮୪୨୩/୧୮୪୨୪ ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ ଏବଂ ୬୮୪୪୯/୬୮୪୫୦ ପୁରୀ-ଦସପଲ୍ଲା-ପୁରୀ ମେମୁ ନୂତନ ଭାବରେ ପ୍ରଦାନ କରାଯାଉଥିବା ତରାବୋଇ ପାସେଞ୍ଜର ହଲ୍ଟରେ ଆଜିଠାରୁ ରହଣି ପ୍ରଦାନ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande