ରାଜ୍ୟରେ ଉତ୍ପାଦନ ହେଉଛି ୩୦ ନିୟୁତ ମେଟ୍ରିକ ଟନ ଇସ୍ପାତ
ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ରାଜ୍ୟରେ ଥିବା ୫୪ଟି ଛୋଟ ବଡ ଇସ୍ପାତ କାରଖାନାରୁ ବାର୍ଷିକ ପାଖପାଖି ୩୦ ନିୟୁତ ମେଟ୍ରିକ ଟନ ଇସ୍ପାତ ଉତ୍ପାଦନ ହେଉଥିବାବେଳେ ଏଥିରୁ ୧ ନିୟୁତ ଟନ ଇସ୍ପାତ ବିଦେଶକୁ ରପ୍ତାନି ହେଉଛି । ରାଜ୍ୟ ଭିତରେ ୫.୭୩ ନିୟୁତ ଟନ ଇସ୍ପାତ ବ୍ୟବହାର ହେଉଥିବାବେଳେ ରାଜ୍ୟ ବାହା
ରାଜ୍ୟରେ ଉତ୍ପାଦନ ହେଉଛି ୩୦ ନିୟୁତ ମେଟ୍ରିକ ଟନ ଇସ୍ପାତ


ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ରାଜ୍ୟରେ ଥିବା ୫୪ଟି ଛୋଟ ବଡ ଇସ୍ପାତ କାରଖାନାରୁ ବାର୍ଷିକ ପାଖପାଖି ୩୦ ନିୟୁତ ମେଟ୍ରିକ ଟନ ଇସ୍ପାତ ଉତ୍ପାଦନ ହେଉଥିବାବେଳେ ଏଥିରୁ ୧ ନିୟୁତ ଟନ ଇସ୍ପାତ ବିଦେଶକୁ ରପ୍ତାନି ହେଉଛି । ରାଜ୍ୟ ଭିତରେ ୫.୭୩ ନିୟୁତ ଟନ ଇସ୍ପାତ ବ୍ୟବହାର ହେଉଥିବାବେଳେ ରାଜ୍ୟ ବାହାରକୁ ୧୭ ନିୟୁତ ଟନରୁ ଅଧିକ ଇସ୍ପାତ ଯାଉଛି ।

ରାଜ୍ୟରେ ଇସ୍ପାତ ଉତ୍ପାଦନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ୫୪ଟି ଇସ୍ପାତ କାରଖାନାରୁ ଇସ୍ପାତ ଉତ୍ପାଦନ ହେଉଛି । ଏହିସବୁ କାରଖାନାରୁ ୨୦୨୨-୨୩ ରେ ୨୫.୧୨ ନିୟୁତ ଟନ ଇସ୍ପାତ ଉତ୍ପାଦନ ହୋଇଥିବାବେଳେ ୨୦୨୩-୨୪ ରେ ତାହା ୨୭.୩୧ ନିୟୁତ ଟନକୁ ବୃଦ୍ଧି ପାଇଥିଲା ଏବଂ ୨୦୨୪-୨୫ ରେ ଏହା ପାଖପାଖି ୩୦ ନିୟୁତ ମେଟ୍ରିକ ଟନ ରହିଛି ।

ସେହିଭଳି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୪୯ଟି କମ୍ପାନୀ ରାଜ୍ୟ ସରକାରଙ୍କ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏଥି ମଧ୍ୟରୁ ୨୩ ଇସ୍ପାତ କମ୍ପାନୀ କାର୍ଯ୍ୟକ୍ଷମ ଥିବାବେଳେ ଗୋଟିଏ ଫେରୋଆଲଏଜ, ଗୋଟିଏ ପେଲେଟ ଓ ୫ଟି ସ୍ପଞ୍ଜ ଲୁହା କାରଖାନା ଚାଲିଛି । ଅସ୍ଥାୟୀ ଭାବେ ୪ଟି କାରଖାନା କାର୍ଯ୍ୟକ୍ଷମ ହୋଇନଥିବାବେଳେ ୧୨ଟି ଇସ୍ପାତ କାରଖାନାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ଚାରିଟି ଇସ୍ପାତ କମ୍ପାନୀ ଓଡିଶା ଛାଡିଛନ୍ତି । ଏହି ୪ଟି କମ୍ପାନୀ ମଧ୍ୟରେ ପୋସ୍କୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande