ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ସାରା ରାଜ୍ୟର ଚାଷୀକୁଳ ସାର ଅଭାବ ଯନ୍ତ୍ରଣାରେ ଗତ ଦୁଇ ମାସ ଧରି ଛଟପଟ ହେଉଛନ୍ତି । ନବରଙ୍ଗପୁରରୁ ରାଇରଙ୍ଗପୁର, ମହେନ୍ଦ୍ରତନୟାରୁ ମହୋଦଧି ତଟ ପର୍ଯ୍ୟନ୍ତ ଚାଷୀକୁଳ ସାର ପାଇଁ କ୍ଷେତ ଛାଡି ରାସ୍ତାରେ ବସିଛନ୍ତି। କ୍ଷେତରେ କାମ କରିବା ଚାଷୀ କେତେବେଳେ ସମବାୟ ସମିତି ଆଗରେ, କେତେବେଳେ କୃଷି କାର୍ଯ୍ୟାଳୟ ଆଗରେ ଓ ଆଉ କେତେବେଳେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଛି, ଧାରଣା ଦେଉଛି, ଆଧାରକାର୍ଡ ଧାଡ଼ିରେ ରଖ୍ ସାର ପାଇଁ ଅପେକ୍ଷା କରୁଛି, ହେଲେ ସାର ଅଭାବ ପୁରଣ ହେଇପାରୁନାହିଁ। ଅନ୍ୟପକ୍ଷରେ ୟୁରିଆ ସାର ଲକ୍ଷ ଲକ୍ଷ ଟନ ଗଚ୍ଛିତ ଅଛି ବୋଲି ସରକାର ଖୁବ୍ ଚଢ଼ା ଗଳାରେ ବୟାନ ରଖୁଛନ୍ତି। କିନ୍ତୁ ଚାଷୀ ସାର ମିଳିବା ଯନ୍ତ୍ରଣାରୁ ମୁକ୍ତି ପାଇପାରୁନାହିଁ । ଚାଷୀକୁଳକୁ ହୀନସ୍ତା କରି ରାଜ୍ୟବାସୀଙ୍କର ପ୍ରଭୂତ କ୍ଷତି କରୁଥିବା ସରକାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଆସନ୍ତା ୨୩ ସେପ୍େଟମ୍ବର ମଙ୍ଗଳବାର ସକାଳ ୯ଟାରେ କଟକ ଜିଲ୍ଲା ଲକ୍ଷେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଓଡିଶା କିଷାନ କଂଗ୍ରେସର ଏକ ଶୋଭାଯାତ୍ରା ବାହାରି ଜାତୀୟ ରାଜପଥରେ ରସୁଲଗଡ, ବାଣୀବିହାର ଦେଇ ମାଷ୍ଟରକ୍ୟାଂଟିନସ୍ଥିତ କଂଗ୍ରେସ ଭବନରେ ପହଂଚିବ। ସେଠାରେ ଏକ ସଭା କରି ଚାଷୀକୁଳର ନେତା ଓ କର୍ମୀମୋନ ବହୁ ସଂଖ୍ୟାରେ ବିଧାନସଭା ଘେରାଉ କରିବେ ବୋଲି ପିସିସି କିଷାନ ସେଲ୍ର ଅଧ୍ୟକ୍ଷ ଅଭୟ ସାହୁ ଜଣାଇଛନ୍ତି।
କିଷାନ କଂଗ୍ରେସର ଏକ ଜରୁରୀ କର୍ମକର୍ତାଙ୍କ ବୈଠକ ବସି ଆସନ୍ତା ବିଧାନସଭା ଅବଧି ଭିତରେ ରାଜ୍ୟରେ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ ବା ସମବାୟ ସମିତି ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ୱାନ ଦିଆଯାଇଛି । ସମସ୍ୟା ଦୂର ହେବା ପର୍ଯ୍ୟନ୍ତ ଆବଶ୍ୟକ ସ୍ଥଳେ ଅହୋରାତ୍ର ଧାରଣାରେ ବସି ସରକାରଙ୍କୁ ବାଧ୍ୟ କରିବା ପାଇଁ ଚରମ ପଦକ୍ଷେପ ନେବା ପାଇଁ ନିଷ୍ପତି ନେଇଛନ୍ତି।
ଏହି ବୈଠକରେ କିଷାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅଭୟ ସାହୁ ଓ କିଷାନ ନେତା ଡ. କାର୍ଷିକ ବରାଳ, ଅରୁଣ ଜେନା, ଲଲାଟେନ୍ଦୁ ମୋହନ ପଟ୍ଟନାୟକ, ସୀତିକଣ୍ଠ ମହାନ୍ତି, ରତନ ନାୟକ, ଜାନକୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା