ବାରିପଦା, ୨ ସେପ୍ଟେମ୍ବର (ହି.ସ.)- ସ୍ଥାନୀୟ ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଛାତ୍ର ହଷ୍ଟେଲ (ମେଘାସନୀ-୧)ରେ ଗ୍ୟାସ ସିଲିଣ୍ଡର ଲିକ୍ ଫଳରେ ଅଗ୍ନିକାଣ୍ଡ ହୋଇଛି। ମଙ୍ଗଳବାର ସକାଳ ସମୟରେ ରୋଷେଇ କରୁଥିବା ଅବସ୍ଥାରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ନିର୍ଗତ ହୋଇ ନିଆଁ ଲାଗିଥିଲା। କୌଣସି କାରଣ ପାଇଁ ଅଗ୍ନି ସଂଯୋଗ ହୋଇଥିବା ବେଳେ ହଠାତ ଜଳି ଉଠିଥିଲା। ଯାହା ଫଳରେ ରୋଷେଇ ଘରେ ଥିବା ଜିନିଷ ଗୁଡ଼ିକ ଜଳି ନଷ୍ଟ ହୋଇଛି। ଅଗ୍ନିକାଣ୍ଡ ଦେଖି ଛାତ୍ର ମାନେ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବାରିପଦା ଅଗ୍ନଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁକୁ ଅଳ୍ପ ସମୟ ମଧ୍ୟରେ ଆୟତ୍ତ କରିଥିଲେ। ସମ୍ପୂର୍ଣ୍ଣ ଭାବେ ନିଆଁକୁ ଆୟତ୍ତ କରିଥିବା ବେଳେ ଅନ୍ତେବାସୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରୋଷେୟା ଦେବଦତ୍ତ ତାଣ୍ଡିଙ୍କ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଭାଗ୍ୟବଶତଃ ସେ ସାମାନ୍ୟ ଆହତ ହୋଇଛନ୍ତି। ବଡ଼ ଅଘଟଣ ଟଳି ଯାଇଛି। ଏ ବାବଦରେ ଅଗ୍ନିଶମ ବାହିନୀ ପକ୍ଷରୁ ତଦନ୍ତ ହୋଇଥିବା ନେଇ ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ