ଅକ୍ଟୋବର ମାସ ଶେଷ ସୁଦ୍ଧା ଚିଲିକା, ଅଂଶୁପା, ଭିତରକନିକା ହେନ୍ତାଳବନ, ହୀରାକୁଦ ଜଳଭଣ୍ଡାର, ସାତକୋଶିଆ ଗଣ୍ଡ ଏବଂ ତାମ୍ପଡା ଆର୍ଦ୍ରଭୂମିର ସମନ୍ୱିତ ପରିଚାଳନା ଯୋଜନା ପ୍ରସ୍ତୁତ କର
– ଅଧ୍ୟକ୍ଷ ତଥା ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ
ଭୁବନେଶ୍ୱର, 02 ସେପ୍ଟେମ୍ବର(ହି.ସ.) ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ, ଓଡ଼ିଶାର ଚତୁର୍ଥ ବୈଠକ ଆଜି ଅପରାହ୍ନରେ ଲୋକସେବା ଭବନସ୍ଥିତ ଦ୍ଵିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣର ଅଧ୍ୟକ୍ଷ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଅକ୍ଟୋବର ମାସ ଶେଷ ସୁଦ୍ଧା ଚିଲିକା, ଅଂଶୁପା, ଭିତରକନିକା ହେନ୍ତାଳବନ, ହୀରାକୁଦ ଜଳଭଣ୍ଡାର, ସାତକୋଶିଆ ଗଣ୍ଡ ଏବଂ ତାମ୍ପଡା ଆର୍ଦ୍ରଭୂମିର ସମନ୍ୱିତ ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ବନଖଣ୍ଡ ଅଧିକାରୀ ଓ କ୍ଷେତ୍ର ପରିଚାଳକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣର ଅଧ୍ୟକ୍ଷ ତଥା ଜଙ୍ଗଲମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ ଯେ ପରିବେଶ ଗୁରୁତ୍ୱ ଥିବା ଆର୍ଦ୍ରଭୂମିର ଚିହ୍ନଟ ଏବଂ ବିଜ୍ଞପ୍ତି, ସଂରକ୍ଷଣ ଏବଂ ସମୁଚିତ ବ୍ୟବହାର ପାଇଁ ସମନ୍ୱିତ ପରିଚାଳନା ଯୋଜନା ଗଠନ ଏବଂ ଅନୁମୋଦନ, ଆର୍ଦ୍ରଭୂମିର ଜୈବ ବିବିଧତା, ପରିବେଶଗତ ସେବା ଏବଂ ସାଂସ୍କୃତିକ ଐତିହ୍ୟର ସୁରକ୍ଷା, ଆର୍ଦ୍ରଭୂମି ପରିଚାଳନାରେ ସମ୍ପ୍ରଦାୟର ଅଂଶଗ୍ରହଣ, ସ୍ଥାନୀୟ ଜୀବିକାକୁ ନିରନ୍ତର ଭାବେ ନିଶ୍ଚିତ କରିବା, ଜାତୀୟ ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ସହିତ କ୍ଷମତା ନିର୍ମାଣ, ସଚେତନତା ସୃଷ୍ଟି ଏବଂ ଗବେଷଣା କ୍ଷେତ୍ରରେ ସହଯୋଗ, ବିକାଶମୂଳକ ଯୋଜନା, ଜଳବାୟୁ ଅନୁକୂଳ ରଣନୀତି ଏବଂ ବିପର୍ଯ୍ୟୟ ପରିଚାଳନା ଢାଞ୍ଚାରେ ଆର୍ଦ୍ରଭୂମିକୁ ମୁଖ୍ୟଧାରାରେ ପରିଣତ କରିବାର ଲକ୍ଷ୍ୟ ନେଇ ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ଗଠିତ
ହୋଇଥିଲା । ଓଡ଼ିଶା ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣର ସଫଳତା ମଧ୍ୟରେ ଚିଲିକା ହ୍ରଦ ପୁନରୁଦ୍ଧାର, ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା, ଅଂଶୁପା ଓ ତାମ୍ପଡା ହ୍ରଦ ଆଦି ଛୋଟ ଆର୍ଦ୍ରଭୂମିର ସଂରକ୍ଷଣ, ରାମସର ସ୍ଥାନ ସମ୍ପ୍ରସାରଣ, ଗୋଷ୍ଠୀ ସମ୍ପୃକ୍ତି ଏବଂ ଜୀବିକା ପ୍ରୋତ୍ସାହନ, ଜଳବାୟୁ ସ୍ଥିରତା ଏବଂ ବିପର୍ଯ୍ୟୟ ପ୍ରଶମନ, ସଚେତନତା ଏବଂ ଗବେଷଣା ସହଯୋଗ ଆଦି ଅନ୍ତର୍ଭୁକ୍ତ । ସମନ୍ୱିତ ପରିଚାଳନା ଯୋଜନାର ମାର୍ଗଦର୍ଶୀକା ଅନୁସାରେ ସଂପୃକ୍ତ ସରକାରୀ ବିଭାଗ ଓ ବିଭିନ୍ନ ଅଂଶୀଦାରମାନଙ୍କ ସହ ସମନ୍ୱୟ ରକ୍ଷାକରି ବନଖଣ୍ଡ ଅଧିକାରୀ ଓ କ୍ଷେତ୍ର ପରିଚାଳକମାନେ ଏହି ପରିଚାଳନା ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଥିଲେ ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ, ଆର୍ଦ୍ରଭୂମିଗୁଡିକ ହେଉଛି ଆମ ରାଜ୍ୟରେ ଜୀବନ ଏବଂ ଜୀବିକାର ଜୀବନରେଖା । ଓଡ଼ିଶା ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ଏହି ପରିସଂସ୍ଥାଗୁଡ଼ିକର ରକ୍ଷକ ଭାବରେ ଠିଆ ହୋଇଛି, ବିକାଶ ଏବଂ ସଂରକ୍ଷଣ କ୍ଷେତ୍ରରେ ହାତ ମିଳାଇ ଚାଲିବା ନିଶ୍ଚିତ କରୁଛି। ଆମର ଆର୍ଦ୍ରଭୂମିଗୁଡ଼ିକର ବିଶ୍ୱସ୍ତରୀୟ ସ୍ୱୀକୃତି, ଚିଲିକାର ପୁନରୁଦ୍ଧାର, ଭିତରକନିକାର ସୁରକ୍ଷା, ଅଂଶୁପା ଏବଂ ତାମ୍ପରାର ଅନ୍ତର୍ଭୁକ୍ତି ପ୍ରଭୃତି ଆର୍ଦ୍ରଭୂମି ସଂରକ୍ଷଣରେ ଓଡ଼ିଶାର ନେତୃତ୍ୱର ପ୍ରମାଣ। ଯେତେବେଳେ ଆମେ ଆଗକୁ ବଢ଼ୁଛୁ, ଏହି ମିଶନକୁ ସୁଦୃଢ଼ କରିବା ଆମର ସାମୂହିକ କର୍ତ୍ତବ୍ୟ - ସରକାର, ନାଗରିକ ସମାଜ, ଶିକ୍ଷାନୁଷ୍ଠାନ ଏବଂ ସ୍ଥାନୀୟ ସମ୍ପ୍ରଦାୟର । ଆଜି ଆର୍ଦ୍ରଭୂମିକୁ ସୁରକ୍ଷା ଦେଇ, ଆମେ ରାଜ୍ୟର ଆସନ୍ତାକାଲିର ଭବିଷ୍ୟତକୁ ସୁରକ୍ଷା ଦେଉଛୁ। ଆମ ରାଜ୍ୟ ପାଇଁ ପରିବେଶ ସହ ବିକାଶର ସମନ୍ୱୟ ଜରୁରୀ । ବିଭିନ୍ନ ଆର୍ଦ୍ରଭୂମିର ପରିବେଶ-ସମ୍ବେଦନଶୀଳ ଅଞ୍ଚଳକୁ ବାଦ ଦେଇ ଅନ୍ୟ ସ୍ଥାନରେ ପରିବେଶ ପର୍ଯ୍ୟଟନର ଅପାର ସମ୍ଭାବନାକୁ କାର୍ଯ୍ୟରେ ରୂପାୟିତ କରିପାରିଲେ ଆର୍ଦ୍ରଭୂମିଗୁଡିକ ଦେଶ ଓ ବିଦେଶର ବହୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରନ୍ତା । ବନଖଣ୍ଡ ଅଧିକାରୀମାନେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଆଶାନୁରୂପ ଅଗ୍ରଗତି ପାଇଁ ଆବଣ୍ଟିତ ଅର୍ଥରାଶିର ସମୟୋଚିତ ସୁବିନିଯୋଗ କରିବା ଉପରେ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ଗୁରୁତ୍ବାରୋପ କରିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସଚିବ ଶ୍ର୍ରୀ ବଲବନ୍ତ ସିଂ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ)
ଶ୍ରୀ ପ୍ରେମ କୁମାର ଝା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ଶ୍ରୀମତୀ ଉମା ନନ୍ଦଉରି, ଓଡ଼ିଶା ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣର ସଦସ୍ୟ ସଚିବ ତଥା ପରିବେଶ ନିର୍ଦ୍ଦେଶକ ଶ୍ରୀ କେ. ଏସ. ପ୍ରଦୀପ , ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ , ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଜଳସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଉପସ୍ଥିତ ରହି ସୁଚିନ୍ତିତ ପରାମର୍ଶମାନ ଦେଇଥିଲେ । ବହୁ ବନଖଣ୍ଡ ଅଧିକାରୀ ଆଭାସି ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ