ଭୁବନେଶ୍ୱର, 02 ସେପ୍ଟେମ୍ବର(ହି.ସ.) – ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଦୁଗ୍ଧ ଚାଷୀମାନଙ୍କୁ ପିଏମ୍ଏମ୍ୱାଇ (ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା) ସହ ଅଧିକ ସଂଖ୍ୟାରେ ସଂଯୋଗ କରିବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସେପ୍ଟେମ୍ବର ୨ ତାରିଖ ଦିନ କଟକ ଜିଲ୍ଲାର ଗୋବିନ୍ଦପୁର, ଅରିଲୋସ୍ଥିତ ଓମ୍ଫେଡ୍ ମେଗା ଡାଇରୀ ପ୍ଲାଂଟ ପରିଦର୍ଶନ ସମୟରେ ରାଜ୍ୟପାଳ ଏପରି ଗୁରୁତ୍ୱାରୋପ କରିଛନ୍ତି। ଦୁଗ୍ଧ ଚାଷୀମାନେ ସେମାନଙ୍କ ଉଦ୍ୟମକୁ ବ୍ୟାପକ କରିବା ନିମନ୍ତେ ବ୍ୟାଙ୍କ ଋଣର ଆବଶ୍ୟକତା ରହିଛି। ଏଣୁ ବ୍ୟାଙ୍କମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ଦୁଗ୍ଧ ଚାଷୀଙ୍କୁ ଋଣ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସଂପୃକ୍ତ କତ୍ତୃପକ୍ଷଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧିନରେ ଚାଷୀମାନଙ୍କୁ ସହାୟତା ଯୋଗଇବାର ପଦ୍ଧତି ସଂପର୍କରେ ରାଜ୍ୟପାଳ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, କେତେକ ଚାଷୀ ଯୋଜନାର ସବସିଡି ପାଇଁ ଆବଶ୍ୟକୀୟ ବ୍ୟକ୍ତିଗତ ଅବଦାନ ପ୍ରଦାନ କରିବାକୁ ହଇରାଣ ହୁଅନ୍ତି, କିନ୍ତୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ଚଗଗଣ) ସହିତ ସଂଯୋଗ କରିବା ଦ୍ୱାରା ସେମାନେ ବ୍ୟାଙ୍କ ଋଣ ପାଇ ପାରିବେ ଏବଂ ବ୍ୟବସାୟ ଆରମ୍ଭ କରିପାରିବେ କିମ୍ବା ବଢାଇପାରିବେ। ବ୍ୟାଙ୍କ ଦ୍ୱାରା ସଠିକ୍ ସମୟରେ ଋଣ ପ୍ରଦାନ ଚାଷୀଙ୍କୁ ପ୍ରେରଣା ଯୋଗାଇବା ସହିତ ଉତ୍ସାହିତ କରିବ ବୋଲି ରାଜ୍ୟପାଳ କହିଥିଲେ। ଏଣୁ ବ୍ୟାଙ୍କମାନଙ୍କ ସହ ନିୟମିତ ସମନ୍ୱୟ ରକ୍ଷା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ଏକ ବିସ୍ତୃତ ତାଲିକା ବ୍ୟାଙ୍କମାନଙ୍କୁ ପ୍ରଦାନ କରିବାକୁ ରାଜ୍ୟପାଳ ଓମ୍ଫେଡ୍ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ଫଳରେ ଋଣ ପ୍ରଦାନ ପ୍ରକିୟାକୁ ସୁଗମ କରାଯାଇପାରିବ, ଯାହା ରାଜ୍ୟରେ ଦୁଗ୍ଧ ଚାଷକୁ ପ୍ରୋତ୍ସାହିତ କରିବ ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ। ଏହା ଦୁଗ୍ଧ ଉତ୍ପାଦନ ଏବଂ ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ। ଏ ଦିଗରେ ଯଦି କୌଣସି ସମସ୍ୟା ଉପୁଜେ, ତେବେ ଓମ୍ଫେଡ୍ କତ୍ତୃପକ୍ଷ ସିଧାସଳଖ ତାଙ୍କ ସହ ଯୋଗାଯୋଗ କରିପାରିବେ ବୋଲି କହିଥିଲେ। ଏହି ଗସ୍ତ ସମୟରେ ରାଜ୍ୟପାଳ ମେଗା ଡାଇରୀ ପ୍ଲାଂଟର ବିଭିନ୍ନ ବିଭାଗ, ଲାବୋରାଟାରୀ, ଘିଅ ବିଭାଗ, ଉତ୍ପାଦ ଗ୍ୟାଲେରୀ ବୁଲି ଦେଖିଥିଲେ। ଓମ୍ଫେଡ୍ କତ୍ତୃପକ୍ଷ ପାୱାର ପଏଂଟ୍ ପ୍ରେଜେଂଟେସନ୍ ମାଧ୍ୟମରେ ପ୍ଲାଟଂର କାର୍ଯ୍ୟଧାରା, ପରିଚାଳନା, ମାର୍କେଟିଂ ପଦ୍ଧତି ଏବଂ ଉତ୍ପାଦ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ସହରାଚଂଳରେ ଘରେ ଘରେ ଓମ୍ଫେଡ୍ କ୍ଷୀର ଏବଂ ଅନ୍ୟାନ୍ୟ ଉତ୍ପାଦ ପହଂଚାଇ ଦିଆଯାଇପାରିଲେ ଏହା ଅଧିକ ଲୋକାଭିମୁଖୀ ହୋଇପାରିବ । ଏଣୁ ଏଦିଗରେ ଅନୁଶୀଳନ କରି ପଦକ୍ଷେପ ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ, ଓମ୍ଫେଡର ପ୍ରେସିଡେଂଟ କିଶୋର ଚନ୍ଦ୍ର ପ୍ରଧାନୀ, ଓମ୍ଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିଦ୍ଦେ ପ୍ରମୁଖ ରାଜ୍ୟପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ