କେନ୍ଦ୍ରାପଡ଼ା, ୦୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସହର ଉପଖଣ୍ଡ ଗୁଲନଗର ପଂଚାୟତରେ ଗଣେଶ ମେଢ଼ ମେଲଣ ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଭାସାଣୀ ଊତ୍ସବରେ ପଂଚାୟତରୁ ୯ଟି ମେଢ଼ ଯୋଗ ଦେଇଥିଲେ। ପ୍ରାତ ୮ଟାରୁ ଏହି ଉତ୍ସବ ଆରମ୍ଭ କରାଯାଇଥିଲା। ସମସ୍ତ ୯ଟି ମେଢ଼ ବର୍ଷା ସତ୍ୱେ ଡିଜେ ବାଜା, ପାରମ୍ପାରିକ ବାଜା, ଘଟଘଟା ସହିତ ଗ୍ରାମ ପରିକ୍ରମା କରି ଅପରାହ୍ନ ୨ଟା ସମୟରେ ଗୋବରୀନଦୀ ଚଟିପୋଲ ନିକଟ ମେଲଣ ପଡ଼ିଆରେ ଏକାଠି ହୋଇଥିଲେ। ସେଠାରେ ସମସ୍ତ ମେଢ଼ଗୁଡ଼ିକୁ ଭୋଗଲାଗି କାରାଯାଇଥିଲା। ଏହାପରେ ପୂର୍ବରୁ ଲଟେରି ମାଧ୍ୟମରେ ନିର୍ଦ୍ଧାରିତ କରାଯାଇଥିବା ମେଢ଼ଗୁଡ଼ିକ କ୍ରମାନୁସାରେ ମେଲଣ ପଡ଼ିଆରୁ ବାହାରି କଟକ ଚାନ୍ଦବାଲି ରାସ୍ତା ଦେଇ ତିନିମୂହାଣୀ, କଲେଜ ଛକ ଓ ଉଦୟନଗର ଛକ ଦେଇ ପୁନର୍ବାର ଗୁଲନଗର ଗ୍ରାମକୁ ଆସିଥିଲେ। ସେଠାରୁ ଗୁଲନଗର ଗ୍ରାମ ପରିକ୍ରମା କରି ନିଜନିଜ ମେଢ଼ଗୁଡ଼ିକୁ ଗୋବରୀ ନଦୀରେ ରାତିରେ ବିର୍ସଜିତ କରିଥିଲେ। ଏହି ମେଢ଼ଗୁଡ଼ିକ ହେଲା ଗୁଲନଗର ଗ୍ରାମର ଜୟଦୁର୍ଗା କ୍ଲବ(ଥାନପତି), ଗଣପତି ୟୁଥ କ୍ଲବ, ଗୋବିନ୍ଦଜୀୟୁ କ୍ଲବ, ହେଙ୍କଡ କ୍ଲବ, ତ୍ରିନାଥ କ୍ଲବ, ସୁଜାନଗରର ମଦନମୋହନ କ୍ଲବ, ମହାଲକ୍ଷ୍ମୀ କ୍ଲବ, ବାବା ସମ୍ବରେଶ୍ୱର କ୍ଲବ, ଯୁବଶକ୍ତି ୟୁଥ କ୍ଲବ, ବାସୁଦେବ କ୍ଲବ। ଚଟି ପୋଲ ନିକଟରେ ଏକ ଶାନ୍ତିକମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଶାନ୍ତି କମିଟିରେ ସଦରଥାନା ଅଧିକାରୀ ଶୁଭେନ୍ଦୁ ସାହୁ, କରୁଣାକର ସାହୁ, ରବିନ୍ଦ୍ର ସାହୁ, ଭାବନ ସାହୁ, ବଟକୃଷ୍ଣ ମହାରଣା ଉପସ୍ଥିତ ରହି ଏହି ଉତ୍ସବକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ନିଷ୍ପତି ନେଇଥିଲେ। ଏହି ଉପଲକ୍ଷେ ପଂଚାୟତ ତରଫରୁ ଗ୍ରାମର ସମସ୍ତ ରାସ୍ତାକୁ ସଫେଇ କରାଯିବା ସହିତ ମୁଖ୍ୟ ରାସ୍ତାକୁ ମରାମତି କରାଯାଇଥିଲା ବୋଲି ପଂଚାୟତ ତରଫରୁ ସୂଚନା ଦିଆଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକକୁ ସହଦେବ ସେଠୀ, ବିଶ୍ୱଜିତ ସେଠୀ, ମନୋଜ ସେଠୀ, ନିରଞ୍ଜନ ସାହୁ, ଗଣେଶ ସେଠୀ, ସାଗର ସେଠୀ, ବୈକୁଣ୍ଠ ସେଠୀ, ପ୍ରମୁଖ ପରିଚାଳନା କରିଥିଲେ।
ମେଲଣ ପଡିଆରୁ କଟକ ଚାନ୍ଦବାଲି ରାସ୍ତା ଅତିକ୍ରମ କରିବାକୁ ମେଢଗୁଡିକୁ ପ୍ରାୟ ବହୁ ସମୟ ଲାଗିଥିଲା । କାରଣ ମେଢ ଗୁଡିକରେ ଲଗାଯାଇଥିବା ସାଉଣ୍ଡବକ୍ସ ରାସ୍ତାକୁ ଅବରୋଧ କରୁଥିଲା। ଯାହାଫଳରେ ସାଧାରଣ ଲୋକମାନେ ନାହି ନଥିବାର ଅସୁବିଧାର ସମ୍ମୁଖିନ ହୋଇଥିଲେ । ଭିଡକୁ ନିୟନ୍ତ୍ରଣ କରିବା ସଦରଥାନା ପୋଲିସ ପକ୍ଷରୁ ନାକେଦମ ହୋବାକୁ ପଡିଥିଲା । ସଦରଥାନା ପୋଲିସ ପକ୍ଷରୁ ଶାନ୍ତଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି